ନ୍ୟୁଜ ଡେକ୍ସ : ଦେଶର ରାଜଧାନୀ ଦିଲ୍ଲୀରେ ସାଧାରଣ ଲୋକଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ଼ ପଡ଼ିଛି। ମଙ୍ଗଳବାର ସିଏନଜି ଦର କିଲୋ ପିଛା ଆଉ ୨ ଟଙ୍କା ବଢ଼ାଯାଇଛି। ନୂଆ ଦର ସକାଳ ୬ଟାରୁ କାର୍ଯ୍ୟକାରୀ ହୋଇଛି। ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜି ଦର କିଲୋ ପିଛା ୮୩ ଟଙ୍କା ୦୯ ପଇସାକୁ ପହଞ୍ଚିଛି। ଲଗାତାର ଭାବେ ସିଏନଜି ଦର ବଢ଼ୁଥିବାରୁ ଯାତାୟାତ ଖର୍ଚ୍ଚ ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ବଢ଼ିଛି।
ଗତ କିଛି ଦିନ ଧରି ସିଏନଜି ଦରରେ ପୁନଃପୁନି ବୃଦ୍ଧି ଦେଖାଯାଉଛି। ଶେଷ ୯ ଦିନ ମଧ୍ୟରେ ଏହା ତୃତୀୟ ବୃଦ୍ଧି ହୋଇଥିବା ବେଳେ ୧୧ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ଦର ବଢ଼ିଛି। ଗତ ରବିବାର ମଧ୍ୟ ସିଏନଜି ଦର କିଲୋ ପିଛା ୧ ଟଙ୍କା ବଢ଼ିଥିଲା। ତା’ପୂର୍ବରୁ ଶୁକ୍ରବାର ଦିଲ୍ଲୀ ଏନସିଆରରେ ଆଉ ୧ ଟଙ୍କା ଦର ବୃଦ୍ଧି କରାଯାଇଥିଲା। ମେ ୧୫ ତାରିଖରେ ମଧ୍ୟ ସିଏନଜି ଦର କିଲୋ ପିଛା ୨ ଟଙ୍କା ବଢ଼ିଥିଲା। ଏହାକୁ ମିଶାଇ ମେ ୧୫ ପରଠାରୁ ଦିଲ୍ଲୀରେ ସିଏନଜି ମୋଟ ୭ ଟଙ୍କା ମହଙ୍ଗା ହୋଇଛି।ସିଏନଜି ଦର ବୃଦ୍ଧିର ସିଧା ପ୍ରଭାବ ଅଟୋ, ଟ୍ୟାକ୍ସି, କ୍ୟାବ୍ ସେବା ଓ ସାଧାରଣ ଲୋକଙ୍କ ଦୈନିକ ଯାତାୟାତ ଖର୍ଚ୍ଚ ଉପରେ ପଡ଼ିବ। ବିଶେଷକରି ସିଏନଜି ଚାଳିତ ଯାନ ଉପରେ ନିର୍ଭର କରୁଥିବା ଲୋକମାନେ ଏଥିରେ ଅଧିକ ପ୍ରଭାବିତ ହେବେ।
ଯାତ୍ରୀଭଡ଼ା ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ଦେଖାଦେଇଛି। ତେବେ ଏହି ସମୟରେ ଘରକୁ ଯୋଗାଣ ହେଉଥିବା ପିଏନଜି ଓ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନଥିବା କୁହାଯାଇଛି। ତଥାପି ସିଏନଜି ଦରର ଲଗାତାର ବୃଦ୍ଧି ମଧ୍ୟବିତ୍ତ ଓ ସାଧାରଣ ବର୍ଗର ଲୋକଙ୍କ ଚିନ୍ତା ବଢ଼ାଇଛି।ଇନ୍ଧନ ଦର ବୃଦ୍ଧି ପଛରେ ଅନ୍ତର୍ଜାତୀୟ ବଜାରର ଚାପକୁ ପ୍ରମୁଖ କାରଣ ଭାବେ ଦେଖାଯାଉଛି।
ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ତଣାଟଣି ସହ ହର୍ମୁଜ୍ ସମୁଦ୍ରସଙ୍କୋଚ ମାର୍ଗରେ ତେଲ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ବିଶ୍ୱ ବଜାରକୁ ଅସ୍ଥିର କରିଛି। ଏହାର ପ୍ରଭାବରେ କଞ୍ଚା ତେଲ ଦର ଦ୍ରୁତ ଗତିରେ ବଢ଼ୁଛି।ରିପୋର୍ଟ ଅନୁସାରେ, ମଧ୍ୟପ୍ରାଚ୍ୟରେ ତଣାଟଣି ଆରମ୍ଭ ପୂର୍ବରୁ ବ୍ରେଣ୍ଟ କ୍ରୁଡ୍ ବ୍ୟାରେଲ ପିଛା ପ୍ରାୟ ୭୨ ଡଲାର ଥିଲା। ବର୍ତ୍ତମାନ ଏହା ପ୍ରାୟ ୮୬ ଡଲାରକୁ ବୃଦ୍ଧି ପାଇଛି। କଞ୍ଚା ତେଲ ଦର ବଢ଼ିବା ସହ ଗ୍ୟାସ ଓ ଅନ୍ୟାନ୍ୟ ଇନ୍ଧନ ମୂଲ୍ୟ ଉପରେ ମଧ୍ୟ ଚାପ ବଢ଼ୁଥିବା ଅର୍ଥନୀତି ବିଶେଷଜ୍ଞମାନେ କହିଛନ୍ତି।

