ନ୍ୟୁଜ ଡେକ୍ସ : ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଗତ କିଛି ଦିନ ଧରି ଏକାନ୍ତବାସରେ ରହୁଥିବା ସନ୍ଥ ପ୍ରେମାନନ୍ଦ ମହାରାଜ ନିଜ ଭକ୍ତମାନଙ୍କ ପାଇଁ ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବା ଖବର ପ୍ରକାଶ ପାଇବା ପରେ ଦେଶ ଓ ବିଦେଶରେ ଥିବା ଅନେକ ଭକ୍ତ ଚିନ୍ତିତ ହୋଇପଡ଼ିଥିଲେ। ବର୍ତ୍ତମାନ ତାଙ୍କ ବାର୍ତ୍ତା ପ୍ରକାଶ ପାଇବା ପରେ ଭକ୍ତମାନଙ୍କ ମଧ୍ୟରେ କିଛି ଆଶ୍ୱସ୍ତି ଦେଖାଦେଇଛି।
ସ୍ୱାସ୍ଥ୍ୟ କାରଣରୁ ମେ ୧୭ ତାରିଖରୁ ପ୍ରେମାନନ୍ଦ ମହାରାଜଙ୍କ ରାତ୍ରି ପଦଯାତ୍ରା ଓ ଭକ୍ତମାନଙ୍କ ସହ ହେଉଥିବା ସାକ୍ଷାତ ଓ କଥାବାର୍ତ୍ତାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ପ୍ରତିଦିନ ତାଙ୍କ ଦର୍ଶନ ଓ ସତସଙ୍ଗ ପାଉଥିବା ଭକ୍ତମାନେ ଏହି ବ୍ୟବସ୍ଥା ହଠାତ୍ ବନ୍ଦ ହେବା ପରେ ଚିନ୍ତାରେ ପଡ଼ିଥିଲେ।ଭକ୍ତମାନଙ୍କ ଚିନ୍ତାକୁ ଦେଖି ପ୍ରେମାନନ୍ଦ ମହାରାଜଙ୍କ ଅଫିସିଆଲ୍ ପେଜରୁ ଏକ ଭିଡିଓ ସେୟାର କରାଯାଇଛି। ସେହି ଭିଡିଓରେ ସେ ଭକ୍ତମାନଙ୍କୁ ଧୈର୍ଯ୍ୟ ଓ ଆସ୍ଥା ରଖିବାକୁ କହିଛନ୍ତି। ସେ କହିଛନ୍ତି ଯେ, ସେ ଭକ୍ତମାନଙ୍କୁ ସାକ୍ଷାତ କରନ୍ତୁ କିମ୍ବା ନ କରନ୍ତୁ, କଥା କହନ୍ତୁ କିମ୍ବା ନ କହନ୍ତୁ, ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହ ଓ ଶ୍ରଦ୍ଧା ସଦା ରହିବ।ନିଜ ବାର୍ତ୍ତାରେ ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଭକ୍ତମାନେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେ କହିଛନ୍ତି, ସେ କଥା ନ କହିଲେ ମଧ୍ୟ ଭକ୍ତମାନଙ୍କ ହୃଦୟରେ ସଦା ରହିବେ।
ଭକ୍ତମାନେ ଗୁରୁଦେବଙ୍କ ଦେଖାଇଥିବା ମାର୍ଗରେ ଚାଲିବା ସହ ନିଜ ନିଜ ସେବାରେ ଅଟଳ ରହିବାକୁ ସେ ପରାମର୍ଶ ଦେଇଛନ୍ତି।ସେ ଏହାମଧ୍ୟ କହିଛନ୍ତି ଯେ, କିଛି ସମୟ ପାଇଁ ସେ ଏକାନ୍ତରେ ରହିବେ। ମନ ହେଲେ ସେ ଭକ୍ତମାନଙ୍କ ସହ କଥା ହେବେ, କିନ୍ତୁ ବର୍ତ୍ତମାନ ସେ ମୌନ ଓ ଶାନ୍ତ ଏକାନ୍ତବାସରେ ସମୟ କାଟୁଛନ୍ତି। ସେ ସମସ୍ତଙ୍କୁ ନାମ ଜପ, ଭଜନ ଓ ରାଧାରାଣୀଙ୍କ ଆଶ୍ରୟରେ ରହିବାକୁ ଉପଦେଶ ଦେଇଛନ୍ତି।ପ୍ରେମାନନ୍ଦ ମହାରାଜଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ୍ ମାଧ୍ୟମରେ ବେଶ ଭାବେ ସେୟାର ହେଉଛି। ତାଙ୍କ ଅସଂଖ୍ୟ ଭକ୍ତ ତାଙ୍କ ଶୀଘ୍ର ସୁସ୍ଥତା କାମନା କରି ପ୍ରାର୍ଥନା କରୁଛନ୍ତି।

