ନ୍ୟୁଜ ଡେକ୍ସ : ରାଜଧାନୀ ଉପକଣ୍ଠରେ ପୁଣି ଧାରୁଆ ଅସ୍ତ୍ରରେ ଆତଙ୍କ ଦେଖିବାକୁ ମିଳିଛି। ଭୁବନେଶ୍ୱର ନିକଟ ଜଟେଣୀ ଛକରେ ଥିବା ଏକ ପେଟ୍ରୋଲ ପମ୍ପରେ କିଛି ଦୁର୍ବୃତ୍ତ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଆକ୍ରମଣରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ସଂଗ୍ରାମ ଜେନା ନାମକ ଯୁବକ ଆହତ ହୋଇଛନ୍ତି।ସୂଚନା ଅନୁସାରେ, ନିଶାସକ୍ତ ଅବସ୍ଥାରେ ତିନି ଜଣ ଯୁବକ ପେଟ୍ରୋଲ ପମ୍ପକୁ ଆସିଥିଲେ।
ସେମାନେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେବାକୁ ପମ୍ପ କର୍ମଚାରୀଙ୍କୁ କହିଥିଲେ। କିନ୍ତୁ ସୁରକ୍ଷା ନିୟମ ଦୃଷ୍ଟିରୁ କର୍ମଚାରୀ ସଂଗ୍ରାମ ଜେନା ସେମାନଙ୍କୁ ପେଟ୍ରୋଲ ଦେବାକୁ ମନା କରିଥିଲେ।ଏହାକୁ ନେଇ ଦୁର୍ବୃତ୍ତମାନେ ହଠାତ୍ ଉତ୍ତେଜିତ ହୋଇଯାଇଥିଲେ। ପରେ ସେମାନେ ଭୁଜାଲିରେ ସଂଗ୍ରାମଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ମାରଣାତ୍ମକ ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଆହତ ସଂଗ୍ରାମଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିବା ଜଣାପଡ଼ିଛି।
ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କୟଦ ହୋଇଛି। ଫୁଟେଜରେ ଅଭିଯୁକ୍ତମାନଙ୍କ ଆସିବା, ବିବାଦ କରିବା ଓ ପରବର୍ତ୍ତୀ ଆକ୍ରମଣର ଦୃଶ୍ୟ ସ୍ପଷ୍ଟ ଭାବେ ରହିଥିବା କୁହାଯାଉଛି। ଘଟଣା ପରେ ଚନ୍ଦକା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି।

