ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀକୁ ଏନ୍କାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ ଡିଲ୍ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା।
ଏହି ସମୟରେ ପପୁନ୍ ମାଝୀ ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ପାଲଟା ଗୁଳିମାଡ଼ କରିଥିଲା।ପୋଲିସର ଜବାବୀ ଗୁଳିରେ ପପୁନ୍ ମାଝୀଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଗୁଳି ବିନିମୟ ସମୟରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଅରିସଲ ଛକ ନିକଟରେ ଅଭିଯୁକ୍ତ ଡ୍ରଗ୍ସ ନେଇ ଯାଉଥିବା ବେଳେ ପୋଲିସ ତାକୁ ଧରିବାକୁ ଚେଷ୍ଟା କରିଥିଲା। ପୋଲିସକୁ ଦେଖି ସେ ଗୁଳିମାଡ଼ କରିଥିବା କୁହାଯାଉଛି।
ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ସହ ଏକ ୭.୬ ଏମ୍ଏମ୍ ପିସ୍ତଲ ଜବତ କରାଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ପପୁନ୍ ମାଝୀ ନିଶା କାରବାର ଓ ବନ୍ଧୁକ ଡିଲ୍ ଭଳି ପ୍ରାୟ ୨୦ଟି ମାମଲାରେ ଅଭିଯୁକ୍ତ ଥିଲା। ସେ ଭୁବନେଶ୍ୱରରେ ଏକ ବଡ଼ ଡ୍ରଗ୍ସ ନେଟୱାର୍କ ଚଳାଇଥିବା ପୋଲିସ କହିଛି। ଏନ୍କାଉଣ୍ଟର ସମ୍ପର୍କରେ ଡିସିପି ଅନୁପ କାନୁନଗୋ ସୂଚନା ଦେଇଛନ୍ତି। ଅଭିଯାନ ବେଳେ ଅନୁପ କାନୁନଗୋ ଓ ତାଙ୍କ ଟିମ୍ର କିଛି ସଦସ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପ୍ରଥମେ ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବାବେଳେ ପରେ ଅଧିକ ଚିକିତ୍ସା ପାଇଁ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।

