ନ୍ୟୁଜ ଡେକ୍ସ : ସପ୍ତାହେ ହେଲା ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପ୍ରଚଣ୍ଡ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲୋକମାନେ ଅସହ୍ୟ ଗରମରେ କଲବଲ ହେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଆକାଶରୁ ଯେପରି ନିଆଁ ବର୍ଷା ହେଉଛି। ଉପକୂଳ ଅଞ୍ଚଳର ଗୁଳୁଗୁଳି ପରିସ୍ଥିତି ଅଂଶୁଘାତ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ।
ଗତକାଲି ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଥିଲା। ବଲାଙ୍ଗୀର ଓ ସମ୍ବଲପୁରରେ ଉତ୍ତପ୍ତ ରାତି ଲୋକଙ୍କୁ ଅଧିକ ଅସୁବିଧାରେ ପକାଇଥିଲା। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ରେ ୪୪.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା।ଏପଟେ ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବରେ ମୌସୁମୀ ବର୍ଷା ଅନିୟମିତ ଓ କମ୍ ହେବା ଆଶଙ୍କା କରାଯାଉଛି। ଆରମ୍ଭରୁ ମୌସୁମୀର ଗତି ମଧ୍ୟ ମନ୍ଥର ରହିଛି। ଭାରତୀୟ ପାଣିପାଗ ବିଭାଗ ମେ’ ୨୬ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେରଳ ନିକଟରେ ମୌସୁମୀର କୌଣସି ପ୍ରଭାବ ଦେଖାଯାଇନାହିଁ।
ବର୍ତ୍ତମାନ ମୌସୁମୀ ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଅଟକି ରହିଛି। ଆସନ୍ତା ୨୮ ତାରିଖରୁ ଜୁନ୍ ୩ କିମ୍ବା ୪ ସୁଦ୍ଧା ମୌସୁମୀ କେରଳ ଉପକୂଳରେ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ଦକ୍ଷିଣ ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗରର ଅବଶିଷ୍ଟ ଅଞ୍ଚଳକୁ ବ୍ୟାପିବ ବୋଲି ସୂଚନା ମିଳିଛି।ସାଧାରଣତଃ ଜୁନ୍ ୧ରେ କେରଳକୁ ମୌସୁମୀ ସ୍ପର୍ଶ କରିଥାଏ। ଏଥର ୫ ଦିନ ଆଗରୁ ମୌସୁମୀ ଆସିବା ନେଇ ପୂର୍ବାନୁମାନ ଥିଲା। କିନ୍ତୁ ବର୍ତ୍ତମାନର ପରିସ୍ଥିତି ଦେଖି ମୌସୁମୀ ଆଗମନ ବିଳମ୍ବ ହେବା ନେଇ ଆକଳନ କରାଯାଉଛି।

