Wed. Jun 3rd, 2026

ନ୍ୟୁଜ ଡେକ୍ସ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଦୀର୍ଘଦିନର ରାଜନୈତିକ ଟଣାଟଣି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଚର୍ଚ୍ଚା ଜୋର ଧରିଛି। ସୂତ୍ର ଅନୁଯାୟୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କଂଗ୍ରେସ ହାଇକମାଣ୍ଡଙ୍କ ସହ ଦୀର୍ଘ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ରାଜି ହୋଇଛନ୍ତି। ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଥିବା ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ଏହି ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଦିଲ୍ଲୀରେ ଥିବା AICC କାର୍ଯ୍ୟାଳୟରେ ପ୍ରାୟ ସାତ ଘଣ୍ଟା ଧରି ମାରାଥନ ବୈଠକ ହୋଇଥିଲା।

ଏହା ପରେ ରାହୁଲ ଗାନ୍ଧୀଙ୍କ ସହ ଏକାନ୍ତ ଆଲୋଚନାରେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସମ୍ମତି ପ୍ରକାଶ କରିଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ସେ ଗୁରୁବାର ଆନୁଷ୍ଠାନିକ ଭାବେ ପଦ ଛାଡିପାରନ୍ତି। କଂଗ୍ରେସର ପୂର୍ବ ନିର୍ଦ୍ଧାରିତ ୫୦-୫୦ କ୍ଷମତା ବଣ୍ଟନ ଫର୍ମୁଲା ଅନୁଯାୟୀ, ଡି.କେ. ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ପାଞ୍ଚ ବର୍ଷର ଶାସନ ବଣ୍ଟନ ନେଇ ସହମତି ହୋଇଥିଲା। ଦୀର୍ଘଦିନ ଧରି ଡିକେ ଶିବକୁମାରଙ୍କ ସମର୍ଥକମାନେ ନେତୃତ୍ୱ ପରିବର୍ତ୍ତନ ଦାବି କରୁଥିଲେ।ମଙ୍ଗଳବାର ଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, କେ.ସି. ଭେଣୁଗୋପାଳ ଓ ରଣଦୀପ ସିଂହ ସୁରଜେୱାଲା ଉପସ୍ଥିତ ଥିଲେ। ସୂତ୍ର ଅନୁଯାୟୀ, ଦଳର ସ୍ୱାର୍ଥ ଏବଂ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନେତୃତ୍ୱ ପରିବର୍ତ୍ତନ ଜରୁରୀ ବୋଲି ରାହୁଲ ଗାନ୍ଧୀ ସିଦ୍ଧରମୈୟାଙ୍କୁ ବୁଝାଇଥିଲେ।

ଏହା ସହ ସିଦ୍ଧରମୈୟାଙ୍କୁ ଜାତୀୟ ରାଜନୀତିରେ ଭୂମିକା ଦେବା ପାଇଁ ରାଜ୍ୟସଭା ଆସନ ଏବଂ ତାଙ୍କ ପୁଅ ଡକ୍ଟର ଯତୀନ୍ଦ୍ର ସିଦ୍ଧରମୈୟାଙ୍କୁ ନୂତନ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ପଦ ଦେବା ପ୍ରସ୍ତାବ ନେଇ ମଧ୍ୟ ଆଲୋଚନା ହୋଇଥିବା ଖବର ମିଳିଛି।ଦିଲ୍ଲୀ ବୈଠକ ପରେ ସିଦ୍ଧରମୈୟା ତାଙ୍କ ଘନିଷ୍ଠ ମନ୍ତ୍ରୀମାନଙ୍କ ସହ ଜରୁରୀ ବୈଠକ କରିଥିଲେ। ଏହି ସମୟରେ କେତେକ ମନ୍ତ୍ରୀ ତାଙ୍କୁ ଇସ୍ତଫା ନ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ସିଦ୍ଧରମୈୟା ସ୍ପଷ୍ଟ କରିଥିଲେ ଯେ ସେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ଏବଂ ରାହୁଲ ଗାନ୍ଧୀଙ୍କ ଅନୁରୋଧକୁ ଅସ୍ୱୀକାର କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *