ନ୍ୟୁଜ ଡେକ୍ସ : ଗୋଆର ଚର୍ଚ୍ଚିତ ନାଇଟ୍ କ୍ଲବ ‘ବିର୍ଚ ବାଇ ରୋମିଓ ଲେନ୍’ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। EDପକ୍ଷରୁ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ପ୍ରାୟ ୧୧.୦୧ କୋଟି ଟଙ୍କାର ସ୍ଥାବର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଆଟାଚ୍ କରାଯାଇଛି। କ୍ଲବ୍ର ବେଆଇନ କାର୍ଯ୍ୟକଳାପ, ନକଲି କାଗଜପତ୍ର ବ୍ୟବହାର ଓ ଲାଇସେନ୍ସ ଜାଲିଆତି ସମ୍ପର୍କିତ ତଦନ୍ତର ଅଂଶ ଭାବେ ଏହି ପଦକ୍ଷେପ ନିଆଯାଇଛି।ଏହି ମାମଲା ଗୋଆର ଆର୍ପୋରା ଅଞ୍ଚଳରେ ଅବସ୍ଥିତ ଲୋକପ୍ରିୟ ନାଇଟ୍ କ୍ଲବ ‘ବିର୍ଚ ବାଇ ରୋମିଓ ଲେନ୍’ ସହିତ ଜଡିତ।
ଇଡି ତଦନ୍ତରୁ ଜଣାପଡିଛି ଯେ, କ୍ଲବ୍ଟି ଆବଶ୍ୟକ ସରକାରୀ ଅନୁମୋଦନ ବିନା ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, କ୍ଲବ୍ର ପରିଚାଳନା କରୁଥିବା କମ୍ପାନୀ Being ଜିଏସ ହସ୍ପିଟାଲିଟି ଗୋଆ ଆର୍ପୋରା ଏଲଏଲପି ଲାଇସେନ୍ସ ପାଇଁ ଜାଲ ଏବଂ ମନମୁତାବକ କାଗଜପତ୍ର ଦାଖଲ କରିଥିଲା। ଏଥିରେ ନକଲି ସ୍ୱାସ୍ଥ୍ୟ ଏନଓସି ଓ ନକଲି ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ ଥିବା ଇଡି ପକ୍ଷରୁ କୁହାଯାଇଛି। ତଦନ୍ତରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, କ୍ଲବ୍ର ଟ୍ରେଡ୍ ଲାଇସେନ୍ସ ୩୧ ମାର୍ଚ୍ଚ ୨୦୨୪ରେ ଶେଷ ହୋଇଯାଇଥିଲେ ମଧ୍ୟ ଏହା ଅବୈଧ ଭାବେ କାର୍ଯ୍ୟ ଜାରି ରଖିଥିଲା। ଏହା ସହ କ୍ଲବ୍ ପାଖରେ ଆବଶ୍ୟକ ଅଗ୍ନିଶମ ବିଭାଗର ଏନଓସି ମଧ୍ୟ ନଥିଲା। ଇଡି ଅନୁସାରେ, ଆର୍ଥିକ ବର୍ଷ ୨୦୨୩-୨୪ ଠାରୁ ୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଏହି କ୍ଲବ୍ ପ୍ରାୟ ୨୯.୭୮ କୋଟି ଟଙ୍କା ଆୟ କରିଥିଲା, ଯାହାକୁ ଅପରାଧରୁ ଆସିଥିବା ଆୟ ଭାବେ ଏଜେନ୍ସି ବିବେଚନା କରିଛି।ଏହା ପୂର୍ବରୁ ଜାନୁଆରୀ ୨୩, ୨୦୨୬ରେ ଇଡି ଏହି ମାମଲାରେ ଏକାଧିକ ସ୍ଥାନରେ ଚଢାଉ କରିଥିଲା। ସେହି କାର୍ଯ୍ୟାନୁଷ୍ଠାନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ ଡିଜିଟାଲ୍ ଡିଭାଇସ୍ ଜବତ କରାଯାଇଥିଲା। ଏହା ସହ ପ୍ରାୟ ୫୯ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଥିଲା। ଇଡି କହିଛି ଯେ, ପୂର୍ବରୁ ମଧ୍ୟ ଏହି ମାମଲାରେ ପ୍ରାୟ ୧୭.୪୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରାଯାଇଥିଲା।
ସଦ୍ୟତମ କାର୍ଯ୍ୟାନୁଷ୍ଠାନ ପରେ ମୋଟ ୨୯.୦୫ କୋଟି ଟଙ୍କାର ସମ୍ପତ୍ତି ଓ ଧନରାଶି ଆଟାଚ୍ କିମ୍ବା ଫ୍ରିଜ୍ କରାଯାଇଛି। ସୂଚନାଯୋଗ୍ୟ, ୬ ଡିସେମ୍ବର ୨୦୨୫ରେ ଗୋଆର ରାଜଧାନୀ ପାନାଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଆର୍ପୋରା ଗାଁରେ ଅବସ୍ଥିତ ଏହି ନାଇଟ୍ କ୍ଲବ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ବିତ ରାତିରେ ଏକ ସିଲିଣ୍ଡର ବିସ୍ଫୋରଣ ହେବା ପରେ ନିଆଁ ଦ୍ରୁତ ଗତିରେ ସମଗ୍ର କ୍ଲବ୍କୁ ବ୍ୟାପିଯାଇଥିଲା। ଏହି ଦୁର୍ଘଟଣାରେ ମୋଟ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିଲେ। ଘଟଣାସ୍ଥଳରେ ୨୩ ଜଣଙ୍କ ଜୀବନ ଯାଇଥିବା ବେଳେ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ବୟାନ ରେକର୍ଡ କରିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରୋଷେଇ କରାଯାଉଥିବା ସମୟରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ଏବଂ କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ନାଇଟ୍ କ୍ଲବ୍ ନିଆଁରେ ଜଳିଯାଇଥିଲା। ବିସ୍ଫୋରଣ ପରେ ଲୋକମାନେ ଜୀବନ ବଞ୍ଚାଇବାକୁ ନାଇଟ୍ କ୍ଲବ୍ରୁ ବାହାରକୁ ଦୌଡ଼ି ଆସିଥିଲେ।ଘଟଣା ପରେ ଗୋଆ ପୋଲିସ ନାଇଟ୍ କ୍ଲବ୍ର ଜେନେରାଲ୍ ମ୍ୟାନେଜରଙ୍କ ସହ ତିନି ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା। ଏବେ ଇଡିର ତଦନ୍ତ ପରେ ଏହି ମାମଲା ଆହୁରି ଗୁରୁତର ମୋଡ଼ ନେଇଛି।

