Wed. Jun 3rd, 2026

ନ୍ୟୁଜ ଡେକ୍ସ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କ ବିଶେଷ ସଚିବ ପ୍ରଭୁ ଶଙ୍କରଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ତେବେ ରାଜ୍ୟପାଳ ଥାୱରଚନ୍ଦ ଗହଲୋଟ ଫେରିବା ପରେ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରାଯିବ ବୋଲି ସୂଚନା ମିଳିଛି।ସୂତ୍ର ଅନୁଯାୟୀ, କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ଡିକେ ଶିବକୁମାର ତାଙ୍କର ଉତ୍ତରାଧିକାରୀ ହୋଇପାରନ୍ତି।

ରାଜ୍ୟପାଳ ବ୍ୟକ୍ତିଗତ କାରଣରୁ ନିଜର ଜନ୍ମସ୍ଥାନ ମଧ୍ୟପ୍ରଦେଶର ଇନ୍ଦୋର ଯାଇଥିବା ଜଣାପଡ଼ିଛି। ସେ ଫେରିବା ପରେ ଇସ୍ତଫା ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଦ୍ଦରମୈୟା ସ୍ପଷ୍ଟ କରିଛନ୍ତି ଯେ ସେ ରାଜ୍ୟସଭାକୁ ଯିବେ ନାହିଁ। ୮୦ ବର୍ଷୀୟ ଏହି ନେତା ବିଧାୟକ ଭାବେ ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ ବୋଲି କହିଛନ୍ତି। ସେ କହିଛନ୍ତି, ହାଇକମାଣ୍ଡ ତାଙ୍କୁ ରାଜ୍ୟସଭାକୁ ଯିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ଏହାକୁ ନା କରିଦେଇଛନ୍ତି। ଜାତୀୟ ରାଜନୀତି ତୁଳନାରେ ସେ ରାଜ୍ୟ ରାଜନୀତିରେ ସକ୍ରିୟ ରହିବାକୁ ଇଚ୍ଛୁକ ବୋଲି କହିଛନ୍ତି।ସିଦ୍ଦରମୈୟା ଏହି ଅବସରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ସମ୍ବିଧାନ ହିଁ ମୋ ପାଇଁ ଧର୍ମ। କଂଗ୍ରେସରେ ଯୋଗ ଦେବା ପରଠାରୁ ମୋତେ ସମସ୍ତଙ୍କ ଭଲପାଇବା ଓ ସହଯୋଗ ମିଳିଛି।”

ଗତ ଏକ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ଚର୍ଚ୍ଚା ଚାଲିଥିଲା। ଡିକେ ଶିବକୁମାରଙ୍କ ଶିବିର ସିଦ୍ଦରମୈୟାଙ୍କୁ ହଟାଇବା ପାଇଁ ଚେଷ୍ଟା କରୁଥିବା ବେଳେ, କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ଏହାକୁ ଦୀର୍ଘଦିନ ଧରି ଟାଳି ଆସୁଥିଲେ। ତାମିଲନାଡୁ ଓ କେରଳରେ ଦଳୀୟ ସ୍ଥିତି ମଜବୁତ ହେବା ପରେ କଂଗ୍ରେସ ଏବେ ନୂଆ ନେତୃତ୍ୱ ଦିଗରେ ଆଗକୁ ବଢ଼ିବାକୁ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି।ସୂଚନା ଅନୁଯାୟୀ, ମଙ୍ଗଳବାର ରାହୁଲ ଗାନ୍ଧୀ ଓ ସିଦ୍ଦରମୈୟାଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟର ବ୍ୟକ୍ତିଗତ ଆଲୋଚନା ସମୟରେ ଏହି ନିଷ୍ପତ୍ତି ଉପରେ ଶେଷ ମୋହର ଲାଗିଥିଲା।

Leave a Reply

Your email address will not be published. Required fields are marked *