ନ୍ୟୁଜ ଡେକ୍ସ : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ଉତ୍ତରାଖଣ୍ଡସ୍ଥିତ ବାବା କେଦାରନାଥ ଧାମକୁ ଚଳିତ ବର୍ଷ ଭକ୍ତଙ୍କ ଭିଡ଼ ରେକର୍ଡ ସ୍ତରରେ ପହଞ୍ଚିଛି। ୨୦୨୬ ବର୍ଷର କେଦାରନାଥ ଯାତ୍ରା ଏକ ନୂଆ ଇତିହାସ ସୃଷ୍ଟି କରିଥିବା ବେଳେ, ମାତ୍ର ୩୫ ଦିନ ମଧ୍ୟରେ ୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିସାରିଥିବା ସୂଚନା ମିଳିଛି।ମନ୍ଦିରର ଦ୍ୱାର ଖୋଲିବା ଦିନଠାରୁ ପ୍ରତିଦିନ ପ୍ରାୟ ୩୦ ହଜାର ଭକ୍ତ କେଦାରନାଥ ଧାମରେ ପହଞ୍ଚୁଛନ୍ତି।
ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ଲମ୍ବା ଧାଡ଼ି ଲାଗୁଥିବା ଦେଖିବାକୁ ମିଳୁଛି। ଦେଶର ବିଭିନ୍ନ ରାଜ୍ୟରୁ ଭକ୍ତମାନେ ବାବା କେଦାରଙ୍କ ଦର୍ଶନ ପାଇଁ କେଦାରନାଥରେ ପହଞ୍ଚୁଛନ୍ତି।ଭକ୍ତଙ୍କ ଏହି ବ୍ୟାପକ ସମାଗମକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଓ ସୁବ୍ୟବସ୍ଥା କରାଯାଇଛି। ରୁଦ୍ରପ୍ରୟାଗ ଜିଲ୍ଲାଅଧିକାରୀ ବିଶାଲ ମିଶ୍ର କହିଛନ୍ତି ଯେ, ତୀର୍ଥଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ପାଇଁ ସବୁବେଳେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଉଛି। କୌଣସି ପ୍ରକାରର ବିଭ୍ରାଟ ରୋକିବା ସହ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଭକ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଟୋକନ୍ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇଛି।
ଏହା ମାଧ୍ୟମରେ ତୀର୍ଥଯାତ୍ରୀମାନେ ଶୃଙ୍ଖଳିତ ଭାବରେ ଧାଡ଼ିରେ ଠିଆ ହୋଇ ବାବାଙ୍କ ଦର୍ଶନ କରିପାରୁଛନ୍ତି।ଅନ୍ୟପଟେ ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଅନ୍ୟ କାରଣରୁ ଅସୁବିଧାରେ ପଡ଼ୁଥିବା ତୀର୍ଥଯାତ୍ରୀଙ୍କ ସହାୟତା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଏପର୍ଯ୍ୟନ୍ତ ହେଲିକପ୍ଟର ମାଧ୍ୟମରେ ୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ, ଦଣ୍ଡି-କାଣ୍ଡି ସହାୟତାରେ ପ୍ରାୟ ୧୫୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପ୍ରଶାସନ କହିଛି ଯେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିଛି।

