ନ୍ୟୁଜ ଡେକ୍ସ : ବଲିଉଡର ଆଗାମୀ ଚର୍ଚ୍ଚିତ ଚଳଚ୍ଚିତ୍ର ‘ହୈ ଜୱାନୀ ତୋ ଇଶ୍କ ହୋନା ହୈ’ ରିଲିଜ୍ ପୂର୍ବରୁ ବଡ଼ ଆଇନଗତ ବିବାଦରେ ଫସିଯାଇଛି। ବରୁଣ ଧୱନ, ପୂଜା ହେଗଡେ ଓ ମୃଣାଲ ଠାକୁରଙ୍କ ଅଭିନୀତ ଏହି ଫିଲ୍ମକୁ ନେଇ ପ୍ରଯୋଜକ ବାସୁ ଭଗନାନୀଙ୍କ କମ୍ପାନୀ ପୂଜା ଏଣ୍ଟରଟେନମେଣ୍ଟ ୪୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ମାମଲା ଦାୟର କରିଛି।ମାମଲାରେ ଫିଲ୍ମର ରିଲିଜ୍, ପ୍ରଦର୍ଶନ ଏବଂ ପ୍ରଚାର ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରାଯାଇଛି।
ବିବାଦର କେନ୍ଦ୍ରବିନ୍ଦୁରେ ରହିଛି ୧୯୯୯ ମସିହାର ସୁପରହିଟ୍ ଫିଲ୍ମ ‘ବିବି ନମ୍ବର ୧’ର ଦୁଇଟି ଲୋକପ୍ରିୟ ଗୀତ ‘ଚୁନରୀ ଚୁନରୀ’ ଏବଂ ‘ଇଶ୍କ ସୋନା ହୈ’।ପୂଜା ଏଣ୍ଟରଟେନମେଣ୍ଟର ଅଭିଯୋଗ ଅନୁସାରେ, ଏହି ଦୁଇଟି ଗୀତକୁ ନୂଆ ଫିଲ୍ମରେ ବ୍ୟବହାର କରାଯାଇଥିବା ବେଳେ ଆବଶ୍ୟକ ଅଧିକାର ଗ୍ରହଣ କରାଯାଇନାହିଁ। ଏହି କାରଣରୁ ଫିଲ୍ମ ଓ ଏହାର ପ୍ରଚାର ସାମଗ୍ରୀରୁ ଗୀତଗୁଡ଼ିକୁ ହଟାଇବାକୁ ଦାବି କରାଯାଇଛି। ବିବାଦ କେବଳ ଗୀତ ମଧ୍ୟରେ ସୀମିତ ରହିନାହିଁ। କମ୍ପାନୀ ଦାବି କରିଛି ଯେ ଫିଲ୍ମର ଶୀର୍ଷକ ‘ହୈ ଜୱାନୀ ତୋ ଇଶ୍କ ହୋନା ହୈ’ ମଧ୍ୟ ସେହି ଗୀତରୁ ନିଆଯାଇଛି, ଯାହାର ଅଧିକାରକୁ ନେଇ ବିବାଦ ଚାଲିଛି। ତେଣୁ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ମଧ୍ୟ ଦାବି କରାଯାଇଛି।ଅନ୍ୟପଟେ ଟିପ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ରମେଶ ତୌରାନି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଖାରଜ କରିଛନ୍ତି।
ସେମାନଙ୍କ ଦାବି ଅନୁଯାୟୀ, ଗୀତଗୁଡ଼ିକର ସଙ୍ଗୀତ ଏବଂ ଅଡିଓ ଅଧିକାର ସେମାନଙ୍କ ପାଖରେ ରହିଛି। ଟିପ୍ସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ସେମାନଙ୍କ ବିରୋଧରେ ଆଣାଯାଇଥିବା ସମସ୍ତ ଅଭିଯୋଗ ଅସତ୍ୟ।ବର୍ତ୍ତମାନ ଏହି ମାମଲା ବମ୍ବେ ହାଇକୋର୍ଟରେ ପହଞ୍ଚିଥିବା ବେଳେ ସମସ୍ତଙ୍କ ନଜର ଅଦାଲତଙ୍କ ଶୁଣାଣି ଉପରେ ରହିଛି। ଯଦି ମାମଲା ଦୀର୍ଘସୂତ୍ରୀ ହୁଏ, ତେବେ ଫିଲ୍ମର ମୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ।ଡେଭିଡ୍ ଧୱନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁନ୍ ୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ତେବେ ରିଲିଜ୍ର ମାତ୍ର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଆଇନଗତ ବିବାଦ ବଲିଉଡରେ ଚର୍ଚ୍ଚାର ବଡ଼ ବିଷୟ ପାଲଟିଛି।

