ନ୍ୟୁଜ ଡେକ୍ସ : ରାଜ୍ୟରେ ଶନିବାରଠାରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍ଆଇଆର୍) ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି। ଆଗାମୀ ନିର୍ବାଚନ ପୂର୍ବରୁ ଏକ ସଠିକ୍ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।ଏହି ପ୍ରକ୍ରିୟା ଅନ୍ତର୍ଗତ ବୁଥ୍ ଲେଭେଲ ଅଫିସର (ବିଏଲଓ)ମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ।
ଭୋଟର ପରିଚୟପତ୍ରରେ ନାମ, ବୟସ, ଠିକଣା କିମ୍ବା ଅନ୍ୟ କୌଣସି ତଥ୍ୟରେ ଭୁଲ ଥିଲେ ସେଗୁଡ଼ିକୁ ସିଧାସଳଖ ବିଏଲଓଙ୍କ ଜରିଆରେ ସଂଶୋଧନ କରାଯାଇପାରିବ।ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଯାଞ୍ଚ ସମୟରେ ଯେଉଁମାନେ ଭାରତୀୟ ନାଗରିକ ନୁହନ୍ତି ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯିବ। ଏହି ବୃହତ ଅଭିଯାନ ପାଇଁ ସାରା ରାଜ୍ୟରେ ୪୫,୨୫୫ ଜଣ ବିଏଲଓଙ୍କୁ ନିୟୋଜିତ କରାଯାଇଛି। ବିଏଲଓମାନେ ସକାଳ ସମୟରେ ଘରେ ଘରେ ଯାଇ ତଥ୍ୟ ଯାଞ୍ଚ କରିବେ। ସେହିପରି ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ସେମାନେ ନିଜ ନିଜ ପୋଲିଂ ବୁଥରେ ଉପସ୍ଥିତ ରହି ଭୋଟରଙ୍କ ଆପତ୍ତି ଓ ଅଭିଯୋଗ ଗ୍ରହଣ କରିବେ।ନିର୍ବାଚନ କମିଶନଙ୍କ ଲକ୍ଷ୍ୟ ହେଉଛି ରାଜ୍ୟର ପ୍ରତ୍ୟେକ ପରିବାର ପାଖରେ ପହଞ୍ଚି ଭୋଟର ତାଲିକାକୁ ଅଧିକ ନିର୍ଭୁଲ କରିବା।
ସୂତ୍ର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।ପ୍ରାଥମିକ ଯାଞ୍ଚ ବେଳେ ପ୍ରାୟ ୧୭ ପ୍ରତିଶତ ଭୋଟର ତଥ୍ୟରେ ତ୍ରୁଟି ଥିବା ଜଣାପଡ଼ିଛି। ବିଶେଷକରି ବୟସ, ନାମର ବନାନ ଓ ପିତାମାତାଙ୍କ ନାମରେ ଭୁଲ ଅଧିକ ଦେଖାଯାଇଛି। ଫିଲ୍ଡ ଭେରିଫିକେସନ୍ ମାଧ୍ୟମରେ ଏହି ସମସ୍ତ ତ୍ରୁଟିର ସମାଧାନ କରାଯିବ ବୋଲି ସିଇଓ ସୂଚନା ଦେଇଛନ୍ତି।ଏହି ଅଭିଯାନ ମାଧ୍ୟମରେ ଆଗାମୀ ନିର୍ବାଚନ ପାଇଁ ଏକ ସ୍ୱଚ୍ଛ, ସଠିକ୍ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।

