ନ୍ୟୁଜ ଡେକ୍ସ :ଭାରତରେ ଚଳୁଥିବା କାଗଜ ନୋଟ୍ ଆଗାମୀ ଦିନରେ ଇତିହାସ ହୋଇପାରେ। ନଗଦ ଟଙ୍କାର ବଢୁଥିବା ଚାହିଦା ଏବଂ ମୁଦ୍ରାର ସ୍ଥାୟୀତ୍ୱ ବଢାଇବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ବା ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ନେଇ ଗମ୍ଭୀର ଭାବେ ବିଚାର କରୁଥିବା ସୂଚନା ମିଳିଛି। ଆର୍ବିଆଇ ବୋର୍ଡର ସାମ୍ପ୍ରତିକ ବୈଠକଗୁଡ଼ିକରେ ଏହି ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି।
ପଲିମର ନୋଟ୍ ସାଧାରଣ କାଗଜ ନୋଟ୍ ତୁଳନାରେ ଅଧିକ ଟିକାଉ ଏବଂ ସୁରକ୍ଷିତ ବୋଲି ମନେ କରାଯାଏ। ବିଶେଷଜ୍ଞମାନଙ୍କ ମତରେ, ଏହି ନୋଟ୍ଗୁଡ଼ିକ କାଗଜ ନୋଟ୍ ତୁଳନାରେ ପ୍ରାୟ ଅଢ଼େଇ ଗୁଣ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ ରହିଥାଏ। ପାଣି, ଆର୍ଦ୍ରତା ଓ ମଇଳାର ପ୍ରଭାବ ଏଥିରେ କମ୍ ପଡ଼ିଥାଏ। ସହଜରେ ଛିଣ୍ଡି ନଯିବାରୁ ପୁନଃମୁଦ୍ରଣ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ।ଏହାଛଡ଼ା ପଲିମର ନୋଟ୍ରେ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ଥିବାରୁ ନକଲି ନୋଟ୍ ତିଆରି କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ଏହି କାରଣରୁ ବିଶ୍ୱର ଅନେକ ଦେଶ ଧୀରେ ଧୀରେ କାଗଜ ନୋଟ୍ରୁ ପଲିମର ନୋଟ୍କୁ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ବିଶ୍ୱର ପ୍ରାୟ ୬୦ଟି ଦେଶରେ ପଲିମର ନୋଟ୍ ବ୍ୟବହାର ହେଉଛି। ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ବ୍ରୁନେଇ, ଭିଏତନାମ, ରୋମାନିଆ ଓ ପାପୁଆ ନ୍ୟୁ ଗିନି ଭଳି ଦେଶ କାଗଜ ନୋଟ୍କୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛନ୍ତି। ୧୯୮୮ ମସିହାରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ ଭାବେ ପଲିମର ନୋଟ୍ ପ୍ରଚଳନ କରିଥିଲା।
ଏସିଆରେ ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲ୍ୟାଣ୍ଡ ମଧ୍ୟ ଏହି ପ୍ରଯୁକ୍ତିକୁ ଆପଣାଇଛନ୍ତି। ଅନ୍ୟପଟେ କାନାଡା ୨୦୧୧ ମସିହାରୁ ପଲିମର ନୋଟ୍ ବ୍ୟବହାର କରୁଛି। ତେବେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ମୁଦ୍ରା ଭାବେ ପରିଚିତ ଆମେରିକୀୟ ଡଲାର ଏପର୍ଯ୍ୟନ୍ତ ପଲିମରରେ ତିଆରି ହୋଇନାହିଁ। ଏହା କପା ଏବଂ ସୂତାର ବିଶେଷ ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ।ଯଦି ଆର୍ବିଆଇ ପଲିମର ନୋଟ୍ ପ୍ରଚଳନ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ, ତେବେ ଭାରତର ମୁଦ୍ରା ବ୍ୟବସ୍ଥାରେ ଏହା ଏକ ବଡ଼ ପରିବର୍ତ୍ତନ ଭାବେ ସାବ୍ୟସ୍ତ ହେବ। ବର୍ଷା, ଆର୍ଦ୍ରତା କିମ୍ବା ଦୈନନ୍ଦିନ ବ୍ୟବହାରରେ ନୋଟ୍ ନଷ୍ଟ ହେବାର ସମସ୍ୟା ମଧ୍ୟ ବହୁ ପରିମାଣରେ କମିପାରେ।

