ନ୍ୟୁଜ ଡେକ୍ସ :ବିଶ୍ୱ ଅର୍ଥନୀତି ସହିତ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ଭାରତ ନିଜର ଦୃଢ଼ ସ୍ଥିତି ପ୍ରମାଣ କରିଛି। ଡିଜିଟାଲ୍ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ଭାରତ ଜର୍ମାନୀ, ଫ୍ରାନ୍ସ, ଜାପାନ ଏବଂ କାନାଡା ଭଳି ପ୍ରମୁଖ ବିକଶିତ ଦେଶଙ୍କୁ ପଛରେ ପକାଇ ଏକ ନୂଆ ସଫଳତା ହାସଲ କରିଛି।ଇଣ୍ଡିଆନ୍ କାଉନସିଲ୍ ଫର୍ ରିସର୍ଚ୍ଚ ଅନ୍ ଇଣ୍ଟରନ୍ୟାସନାଲ୍ ଇକୋନୋମିକ୍ ରିଲେସନ୍ସ (ICRIER) ପକ୍ଷରୁ ପ୍ରକାଶିତ ‘ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ଡିଜିଟାଲ୍ ଇକୋନୋମି (SIDE) ୨୦୨୬’ ରିପୋର୍ଟ ଅନୁଯାୟୀ, ଭାରତ ବିଶ୍ୱର ପଞ୍ଚମ ସର୍ବାଧିକ ଡିଜିଟାଲ୍ ଅର୍ଥନୀତି ଭାବେ ଉଭା ହୋଇଛି।
ରିପୋର୍ଟରେ ଦର୍ଶାଯାଇଛି ଯେ, କୃତ୍ରିମ ବୁଦ୍ଧିମତ୍ତା (AI) କାର୍ଯ୍ୟଦକ୍ଷତା କ୍ଷେତ୍ରରେ ମଧ୍ୟ ଭାରତ ଉଲ୍ଲେଖନୀୟ ପ୍ରଗତି କରିଛି। ୨୦୨୫ରେ ଅଷ୍ଟମ ସ୍ଥାନରେ ଥିବା ଭାରତ ବର୍ତ୍ତମାନ CHiPS-AI ସୂଚକାଙ୍କରେ ଆମେରିକା, ଚୀନ୍ ଓ ସିଙ୍ଗାପୁର ପରେ ଚତୁର୍ଥ ସ୍ଥାନ ହାସଲ କରିଛି।ଏହି ସଫଳତା ପଛରେ ଉନ୍ନତ ଡିଜିଟାଲ୍ ସଂଯୋଗ ବ୍ୟବସ୍ଥା, ଫିନ୍ଟେକ୍ କ୍ଷେତ୍ରର ଦ୍ରୁତ ବିକାଶ ଏବଂ ନବସୃଜନ କ୍ଷମତାକୁ ପ୍ରମୁଖ କାରଣ ଭାବେ ଦର୍ଶାଯାଇଛି।ବିଶ୍ୱର ମୋଟ ଜିଡିପିର ୯୬ ପ୍ରତିଶତ ଅଂଶ ପ୍ରତିନିଧିତ୍ୱ କରୁଥିବା ୭୧ଟି ଦେଶକୁ ନେଇ କରାଯାଇଥିବା ଏହି ଅଧ୍ୟୟନରେ ଭାରତର ଡିଜିଟାଲ୍ ଅଗ୍ରଗତିକୁ ସ୍ୱୀକୃତି ମିଳିଛି। ଡିଜିଟାଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସେବା କ୍ଷେତ୍ରରେ ଭାରତ ପ୍ରାୟ ୩୧ ଲକ୍ଷ କୋଟି ଟଙ୍କାର ଡିଜିଟାଲ୍ ବାଣିଜ୍ୟ କରିଥିବା ବେଳେ AI ପ୍ରତିଭା କ୍ଷେତ୍ରରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ କେନ୍ଦ୍ର ଭାବେ ପରିଚିତ ହୋଇଛି।ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବିଶ୍ୱର ୭୨ ପ୍ରତିଶତ AI ବ୍ୟବହାରକାରୀ ବିକାଶଶୀଳ ଦେଶଗୁଡ଼ିକରେ ରହିଛନ୍ତି।
ଭାରତ ଓ ଚୀନ୍ ମିଶି ବିଶ୍ୱ AI ବ୍ୟବହାରର ପ୍ରାୟ ୪୦ ପ୍ରତିଶତ ଅଂଶ ଯୋଗାଉଥିବା ବେଳେ କେବଳ ଭାରତର ଅଂଶୀଦାରିତ୍ୱ ପ୍ରାୟ ୨୬ ପ୍ରତିଶତ ରହିଛି।ତେବେ AI ବ୍ୟବହାର ଓ ପ୍ରତିଭା କ୍ଷେତ୍ରରେ ଆଗରେ ଥିଲେ ମଧ୍ୟ ଭାରତ ବିଶ୍ୱ ଘରୋଇ AI ନିବେଶର ମାତ୍ର ୧ ପ୍ରତିଶତ ପାଉଛି। ଉନ୍ନତ ଚିପ୍ସ, କମ୍ପ୍ୟୁଟିଂ ଶକ୍ତି ଏବଂ ବୃହତ୍ AI ମଡେଲ୍ ବର୍ତ୍ତମାନ କେତେକ ଗଣନାଯୋଗ୍ୟ ଦେଶରେ ସୀମିତ ରହିଛି। ବିଶେଷଜ୍ଞମାନଙ୍କ ମତରେ, ଭାରତ ନିଜର ଡିଜିଟାଲ୍ ଓ AI କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ଗବେଷଣା, ନିବେଶ ଏବଂ ଷ୍ଟାର୍ଟଅପ୍-ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଏହା ଦ୍ୱାରା ଭାରତ ବିଶ୍ୱ ଡିଜିଟାଲ୍ ଅର୍ଥନୀତିରେ ଆହୁରି ଶକ୍ତିଶାଳୀ ସ୍ଥାନ ହାସଲ କରିପାରିବ।

