ନ୍ୟୁଜ ଡେକ୍ସ :ରାଜ୍ୟବାସୀଙ୍କ ସମସ୍ୟା ଓ ଅଭିଯୋଗର ସିଧାସଳଖ ସମାଧାନ ପାଇଁ ଆସନ୍ତା ଜୁନ୍ ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ସକାଳ ୮ଟାରେ ଭୁବନେଶ୍ୱର ୟୁନିଟ୍-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ନିଜର ସମସ୍ୟା, ଅଭିଯୋଗ ଏବଂ ଦାବି ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିପାରିବେ। ଏହା ଦ୍ୱାରା ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ସହ ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
ବିଶେଷ ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୭ ତାରିଖରେ ଆୟୋଜିତ ହେବାକୁ ଥିବା ଜନ ଶୁଣାଣି ପାଇଁ ଯେଉଁ ଆବେଦନକାରୀମାନେ ପୂର୍ବରୁ ପଞ୍ଜିକରଣ କରିଥିଲେ, ସେମାନେ ଜୁନ୍ ୧ ତାରିଖର କାର୍ଯ୍ୟକ୍ରମରେ ନିଜ ଅଭିଯୋଗ ଦାଖଲ କରିପାରିବେ। ସେମାନଙ୍କୁ ପୁଣିଥରେ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ ବୋଲି ସିଏମଓ ସ୍ପଷ୍ଟ କରିଛି। ସରକାରଙ୍କ ଜନମୁଖୀ ପଦକ୍ଷେପର ଏକ ଅଂଶ ଭାବେ ଆୟୋଜିତ ହେଉଥିବା ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକ ଯୋଗଦେଇ ନିଜ ସମସ୍ୟା ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି।

