Wed. Jun 3rd, 2026

ନ୍ୟୁଜ ଡେକ୍ସ : ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ଘଟଣାର ତଦନ୍ତ ଏବେ ନୂଆ ମୋଡ଼ ନେଇଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଥିବାବେଳେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଏକ ଦୁଇ ସଦସ୍ୟ ବିଶିଷ୍ଟ ଟିମ୍ ମଧ୍ୟ ଘଟଣାର ଅନୁଧ୍ୟାନ ପାଇଁ ଓଡ଼ିଶା ଆସିବ ବୋଲି ସୂଚନା ମିଳିଛି।ସୂଚନା ଅନୁଯାୟୀ, ଏନଏଚଆରସିର ଦୁଇ ଜଣ ସଦସ୍ୟ ୫ ଦିନିଆ ଭୁବନେଶ୍ୱର ଗସ୍ତରେ ଆସି ବାଲିଅନ୍ତା ଯାଇ ଘଟଣାସ୍ଥଳ ପରିଦର୍ଶନ କରିବେ ଏବଂ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବେ।

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଥିବାବେଳେ ପୂର୍ବରୁ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିଲା। ତଦନ୍ତ ଆଗକୁ ବଢ଼ୁଥିବାରୁ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପକ୍ଷରେ, ଶନିବାର ସୌମ୍ୟରଞ୍ଜନଙ୍କ ବାପା ଓ ମାଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି। ପରିବାର ପକ୍ଷରୁ କେବଳ କ୍ରାଇମବ୍ରାଞ୍ଚ ନୁହେଁ, ବରଂ ସିବିଆଇ ତଦନ୍ତ କରାଯିବାକୁ ଦାବି ଉଠିଛି। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସୌମ୍ୟରଞ୍ଜନଙ୍କ ମାଆ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ମାମଲାକୁ ଦବାଇ ଦେବାକୁ ଚେଷ୍ଟା କରାଯାଉଛି। ଯଦି ଉପଯୁକ୍ତ ସମୟ ମଧ୍ୟରେ ନ୍ୟାୟ ମିଳିନଥାଏ, ତେବେ ସେ ଏବଂ ଗ୍ରାମବାସୀ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମେ’ ୭ ତାରିଖରେ ବାଲିଅନ୍ତା ଅଞ୍ଚଳରେ ସୌମ୍ୟରଞ୍ଜନ ସ୍ୱାଇଁ ତାଙ୍କ ସାଙ୍ଗଙ୍କ ସହ ବାଇକରେ ଯାଉଥିବାବେଳେ ଏକ ସ୍କୁଟି ସହ ଧକ୍କା ହୋଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକମାନେ ସେଠାରେ ଏକତ୍ରିତ ହୋଇ ସୌମ୍ୟରଞ୍ଜନଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ରହିଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାଟି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏବେ ସମସ୍ତଙ୍କ ନଜର ତଦନ୍ତ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି।

Leave a Reply

Your email address will not be published. Required fields are marked *