Wed. Jun 3rd, 2026

ନ୍ୟୁଜ ଡେକ୍ସ : ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ ଲାଗିଛି। ଜୁନ୍ ୧ ତାରିଖରୁ ଦେଶରେ କମର୍ସିଆଲ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି। ସରକାରୀ ତେଲ କମ୍ପାନୀଗୁଡ଼ିକ ୧୯ କେଜି ବିଶିଷ୍ଟ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ୪୨ ଟଙ୍କା ବୃଦ୍ଧି କରିଥିବା ବେଳେ ଏହି ସଂଶୋଧିତ ଦର ଜୁନ୍ ୧ରୁ ଲାଗୁ ହୋଇଛି।

ନୂଆ ଦର ଅନୁଯାୟୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ମୂଲ୍ୟ ୩,୧୧୩.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ସବୁଠାରୁ ଅଧିକ ୫୩ ଟଙ୍କା ବୃଦ୍ଧି ହୋଇଥିବାରୁ ସେଠାରେ ଏହାର ଦର ୩,୨୫୫.୫୦ ଟଙ୍କା ହୋଇଛି।କେବଳ ବଡ଼ ସିଲିଣ୍ଡର ନୁହେଁ, ଛୋଟ ବ୍ୟବସାୟୀମାନେ ବ୍ୟବହାର କରୁଥିବା ୫ କେଜି ବିଶିଷ୍ଟ ଫ୍ରି ଟ୍ରେଡ୍ ଏଲ୍‌ପିଜି ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ପାଇଛି। ଏହାର ମୂଲ୍ୟ ୧୧ ଟଙ୍କା ବଢ଼ି ୮୨୧.୫୦ ଟଙ୍କାରେ ପହଞ୍ଚିଛି।

ଲଗାତର ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଫେ ଏବଂ ଖାଦ୍ୟ ପ୍ରସ୍ତୁତି ସହ ଜଡ଼ିତ ଶିଳ୍ପଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି। ବ୍ୟବସାୟିକ ଖର୍ଚ୍ଚ ବଢ଼ିବା ଫଳରେ ଆଗାମୀ ଦିନରେ ହୋଟେଲ ଖାଦ୍ୟ, ଟିଫିନ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ବ୍ୟବସାୟୀ ମହଳରେ ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହାର ପ୍ରଭାବ ସାଧାରଣ ଉପଭୋକ୍ତାଙ୍କ ଉପରେ ମଧ୍ୟ ପଡ଼ିପାରେ।

Leave a Reply

Your email address will not be published. Required fields are marked *