ନ୍ୟୁଜ ଡେକ୍ସ : ଆସନ୍ତା ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ସହ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧି, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନେ ଯୋଗଦେବେ। ଜୁନ୍ ୪ ତାରିଖରେ ଆୟୋଜିତ ଉଦ୍ଘାଟନୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।ଏହି ସମ୍ମିଳନୀରେ ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇଜିପ୍ଟ, ସଂଯୁକ୍ତ ଆରବ ଏମିରେଟ୍ସ, ଇଥିଓପିଆ, ଇରାନ ଏବଂ ଇଣ୍ଡୋନେସିଆ ଭଳି ଦେଶମାନଙ୍କର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।
ବିଶ୍ୱସ୍ତରରେ ବିପର୍ଯ୍ୟୟ ପରିଚାଳନା, ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଓ ଦୁର୍ଯ୍ୟୋଗ ମୁକାବିଲା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀ ଆୟୋଜନର ସୁଯୋଗ ରାଜ୍ୟକୁ ମିଳିଥିବା କୁହାଯାଉଛି। ସମ୍ମିଳନୀରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସ୍ଥାୟୀ ଆର୍ଥିକ ପରିଚାଳନା, ଭିତ୍ତିଭୂମିର ସୁଦୃଢ଼ୀକରଣ, ପୂର୍ବାନୁମାନ ଆଧାରିତ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ପାରମ୍ପରିକ ଜ୍ଞାନର ସମନ୍ୱୟ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ। ବିଭିନ୍ନ ଦେଶର ଅଭିଜ୍ଞତା ଓ ସଫଳତାର ଆଦାନ-ପ୍ରଦାନ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚିତ ହେବାର ଆଶା କରାଯାଉଛି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କହିବା ଅନୁଯାୟୀ, ଓଡ଼ିଶା ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଦେଶ ଓ ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ଅଭିଜ୍ଞତା ଓ ସଫଳ ପଦକ୍ଷେପକୁ ଆନ୍ତର୍ଜାତିକ ସ୍ତରରେ ଉପସ୍ଥାପନ କରିବାର ସୁଯୋଗ ମିଳିବ।ପୁରୀରେ ଆୟୋଜିତ ଏହି ସମ୍ମିଳନୀକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଦେଶ ବିଦେଶରୁ ଆସୁଥିବା ପ୍ରତିନିଧିମାନଙ୍କ ସୁବିଧା, ସୁରକ୍ଷା ଏବଂ ସମ୍ମିଳନୀର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏହି ସମ୍ମିଳନୀ ଓଡ଼ିଶାକୁ ଆନ୍ତର୍ଜାତିକ ସ୍ତରରେ ଆହୁରି ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

