ନ୍ୟୁଜ ଡେକ୍ସ : ବାରମ୍ବାର ତାଗିଦ ଓ ଚେତାବନୀ ସତ୍ତ୍ୱେ ପୁଣିଥରେ ବିଦେଶ ମାଟିରେ ଅଦିନିଆ ରଥଯାତ୍ରା ପାଳନ କରାଯାଇଥିବା ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀ ଓ ଧାର୍ମିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କାନାଡାର ଦୁଇଟି ସ୍ଥାନରେ ଗତ ମେ ୩୦ ଓ ୩୧ ତାରିଖରେ ଏହି ରଥଯାତ୍ରା ଆୟୋଜିତ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ମେ ୩୦ ତାରିଖରେ କାନାଡାର ଏକ ପ୍ରମୁଖ ଉଦ୍ୟାନ ପରିସରରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିଲା। ଏହାପରେ ପରଦିନ ଅର୍ଥାତ୍ ମେ ୩୧ ତାରିଖରେ ଆଉ ଏକ ସହରରେ ପୁଣିଥରେ ରଥଯାତ୍ରା ପାଳନ କରାଯାଇଥିଲା।
ଏହି ଘଟଣାକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ସଂଗଠନ ଓ ଭକ୍ତମାନେ କ୍ଷୋଭ ପ୍ରକାଶ କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଅଦିନିଆ ରଥଯାତ୍ରା ପାଳନକୁ ନେଇ ପୂର୍ବରୁ ମଧ୍ୟ ଅନେକଥର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅନୁଷ୍ଠାନକୁ ସତର୍କ କରାଯାଇଥିଲା। ରଥଯାତ୍ରା ପାଇଁ ଶାସ୍ତ୍ର ନିର୍ଦ୍ଦିଷ୍ଟ ତିଥି ରହିଥିବା ବେଳେ ତାହା ବାହାରେ ରଥଯାତ୍ରା ପାଳନ କରାଯିବାକୁ ଅନେକେ ଅନୁଚିତ ବୋଲି ମତ ପ୍ରକାଶ କରୁଛନ୍ତି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ମତରେ, ମହାପ୍ରଭୁଙ୍କ ରଥଯାତ୍ରା ଏକ ନିର୍ଦ୍ଦିଷ୍ଟ ଧାର୍ମିକ ପରମ୍ପରା ଓ ତିଥି ସହ ଜଡ଼ିତ। ଏହାକୁ ଅନ୍ୟ ସମୟରେ ପାଳନ କରିବା ଦ୍ୱାରା ପରମ୍ପରାର ମୂଳ ଭାବନା କ୍ଷୁଣ୍ଣ ହେଉଛି।
ଏଭଳି କାର୍ଯ୍ୟ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଥିବା ଅଭିଯୋଗ ହେଉଛି।ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ବଢ଼ୁଥିବା ଦେଖାଯାଉଛି। ବାରମ୍ବାର ଚେତାବନୀ ସତ୍ତ୍ୱେ ଅଦିନିଆ ରଥଯାତ୍ରା ପାଳନ ଜାରି ରହିବାକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀଜଗନ୍ନାଥଙ୍କ ପରମ୍ପରା, ରୀତିନୀତି ଓ ସଂସ୍କୃତିର ସୁରକ୍ଷା ପାଇଁ ଆଗାମୀ ଦିନରେ କିଭଳି ପଦକ୍ଷେପ ନିଆଯିବ, ସେଥିପ୍ରତି ଭକ୍ତ ଓ ସେବାୟତ ମହଲର ନଜର ରହିଛି।

