ନ୍ୟୁଜ ଡେକ୍ସ : ଶାନ୍ତି ଚୁକ୍ତିନାମାକୁ ନେଇ ଚାଲିଥିବା କୂଟନୈତିକ ପ୍ରୟାସ ମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ପୁଣିଥରେ ଉତ୍ତେଜନା ବୃଦ୍ଧି ପାଇଛି। କୁଏତ ଓ ବାହାରିନରେ ଅବସ୍ଥିତ ଆମେରିକୀୟ ସାମରିକ ଘାଟିକୁ ଲକ୍ଷ୍ୟ କରି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା ନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି।
ଆମେରିକାର କେନ୍ଦ୍ରୀୟ କମାଣ୍ଡ ଜାରି କରିଥିବା ଏକ ବିବୃତ୍ତି ଅନୁଯାୟୀ, ଇରାନ ପକ୍ଷରୁ ପଡ଼ୋଶୀ ଦେଶଗୁଡ଼ିକରେ ଥିବା ସାମରିକ ସ୍ଥାପନାକୁ ଟାର୍ଗେଟ୍ କରି ଡ୍ରୋନ୍ ଓ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ତେବେ ସମସ୍ତ ଆକ୍ରମଣ ବିଫଳ ହୋଇଥିବା ଦାବି କରିଛି ଆମେରିକା।ବିବୃତ୍ତିରେ କୁହାଯାଇଛି ଯେ, କୁଏତ ଅଭିମୁଖେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଗୁଡ଼ିକ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା କିମ୍ବା ମଝି ରାସ୍ତାରେ ଧ୍ୱଂସ କରାଯାଇଥିଲା। ସେହିପରି ବାହାରିନକୁ ଲକ୍ଷ୍ୟ କରି ନିକ୍ଷେପ ହୋଇଥିବା ତିନୋଟି କ୍ଷେପଣାସ୍ତ୍ରକୁ ଆମେରିକା ଓ ବାହାରିନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସଫଳତାର ସହ ପ୍ରତିରୋଧ କରିଥିବା କୁହାଯାଇଛି।
ଏହି ଘଟଣା ପରେ ଅଞ୍ଚଳର ସୁରକ୍ଷା ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଛି। ଆମେରିକୀୟ ସେନା ପକ୍ଷରୁ କୁହାଯାଇଛି ଯେ ସେମାନେ ପୂର୍ଣ୍ଣ ସଜାଗ ଅବସ୍ଥାରେ ଅଛନ୍ତି ଏବଂ ଇରାନ ପକ୍ଷରୁ ହୋଇପାରୁଥିବା ଯେକୌଣସି ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଏହି ଘଟଣା ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଚାଲିଥିବା ତିବ୍ର ରାଜନୈତିକ ଓ ସାମରିକ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଥିବାବେଳେ ଆନ୍ତର୍ଜାତୀୟ ମହଲ ଏହା ଉପରେ କଡ଼ା ନଜର ରଖିଛି।

