ନ୍ୟୁଜ ଡେକ୍ସ : ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏନେଇ ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ଜୁନ୍ ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ରାଇରଙ୍ଗପୁର ଗସ୍ତ କରିବେ।
ଏହାପରେ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଇରଙ୍ଗପୁର ଆସିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।ଉଭୟ ବିଶିଷ୍ଟ ଅତିଥି ରାଇରଙ୍ଗପୁରରେ ନବନିର୍ମିତ ଷ୍ଟାଡିୟମର ଉଦଘାଟନୀ ଉତ୍ସବରେ ଯୋଗଦେବେ ବୋଲି ସାଂସଦ ନବଚରଣ ମାଝୀ କହିଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଗସ୍ତ ସମ୍ପର୍କିତ ସୂଚନା ମିଳିଥିବା ସେ ଜଣାଇଛନ୍ତି।
ଅନ୍ୟପକ୍ଷରେ, ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି। ଏହି ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ସକାରାତ୍ମକ ଭାବେ ଗ୍ରହଣ କରିଥିବା ମଧ୍ୟ କୁହାଯାଉଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ମୟୁରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ପ୍ରଶାସନ ମଧ୍ୟ ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ନଜର ରଖିଛି।

