ନ୍ୟୁଜ ଡେକ୍ସ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଢୋଲମରା ଗାଁରେ ଜଣେ ଯୁବକଙ୍କ ଉପରେ ମାରଣାତ୍ମକ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆକ୍ରମଣରେ ଗୁରୁତର ଆହତ ଯୁବକ ହେଲେ ଦିବ୍ୟରଞ୍ଜନ ସାମଲ।ସୂଚନା ଅନୁଯାୟୀ, ଦିବ୍ୟରଞ୍ଜନ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ସେହି ଗାଁର ତିନିଜଣ ଯୁବକ ଗୁନା ବିଶ୍ୱାଳ, ସୁନିଆ ବିଶ୍ୱାଳ ଓ ପ୍ରଦୀପ ବିଶ୍ୱାଳ ତାଙ୍କୁ ଅଟକାଇଥିଲେ।
କୌଣସି କାରଣକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା। ପରେ ଯୁକ୍ତିତର୍କ ତୀବ୍ର ରୂପ ନେବାରୁ ଅଭିଯୁକ୍ତ ଯୁବକମାନେ ଉତ୍ତେଜିତ ହୋଇ ଦିବ୍ୟରଞ୍ଜନଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଆକ୍ରମଣରେ ଦିବ୍ୟରଞ୍ଜନ ଗୁରୁତର ଭାବେ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ।
ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ, ଘଟଣାକୁ ନେଇ ଏପର୍ଯ୍ୟନ୍ତ ରାଜନଗର ଥାନାରେ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ଘଟଣାର ତଦନ୍ତ ଓ ଅଧିକ ସୂଚନାକୁ ନେଇ ପୁଲିସ ପକ୍ଷରୁ ନଜର ରଖାଯାଇଛି।

