Fri. Jun 5th, 2026

ନ୍ୟୁଜ ଡେକ୍ସ : ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦୀର୍ଘଦିନ ଧରି ରେଳ ଖାଦ୍ୟର ଗୁଣମାନ ନେଇ ଆସୁଥିବା ଅଭିଯୋଗ ପରେ ଭାରତୀୟ ରେଳବାଇ ଏବେ ଖାଦ୍ୟ ସୁରକ୍ଷା ଓ ଗୁଣମାନ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି।ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ଦେଶବ୍ୟାପୀ ରେଳବାଇ ଅଧୀନରେ ଥିବା ୮୦୦ରୁ ଅଧିକ ରୋଷେଇ ଘରରେ ଆଧୁନିକ ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରିବ।

ଏହି ପଦକ୍ଷେପରେ ସମସ୍ତ କିଚେନରେ AI ଭିତ୍ତିକ ସ୍ମାର୍ଟ କ୍ୟାମେରା ସ୍ଥାପନ କରାଯିବ।ଏହି କ୍ୟାମେରାଗୁଡ଼ିକ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା, ପରିମଳ ବ୍ୟବସ୍ଥା ଏବଂ ପ୍ୟାକେଜିଂ ଉପରେ ନିରନ୍ତର ନଜର ରଖିବ। ରୋଷେଇ କରୁଥିବା କର୍ମଚାରୀମାନେ ସଠିକ ପୋଷାକ ଓ ସ୍ୱଚ୍ଛତା ନିୟମ ପାଳନ କରୁଛନ୍ତି କି ନାହିଁ ମଧ୍ୟ ଏହି ପ୍ରଣାଳୀ ନିମିଷେ ଚିହ୍ନଟ କରିପାରିବ।ଯଦି କୌଣସି କିଚେନରେ ଅନିୟମିତତା କିମ୍ବା ଅସ୍ୱଚ୍ଛ ପରିସ୍ଥିତି ଦେଖାଯାଏ, ତେବେ ସେଥିର ଆଲର୍ଟ ସିଧାସଳଖ କେନ୍ଦ୍ରୀୟ କଣ୍ଟ୍ରୋଲ ରୁମକୁ ପଠାଯିବ।

ଏହା ଦ୍ୱାରା ସମ୍ପୃକ୍ତ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେଇପାରିବେ। ଅନେକ ସମୟରେ ଟ୍ରେନ ଖାଦ୍ୟର ଗୁଣମାନ ନେଇ ଯାତ୍ରୀମାନେ ଅଭିଯୋଗ କରିଥିବା ସହିତ ବାସି ଖାଦ୍ୟ ଓ ପୋକ ମିଳିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଏହି ପରିପ୍ରେକ୍ଷିତରେ IRCTCର ଏହି ନୂତନ AI ଆଧାରିତ ବ୍ୟବସ୍ଥା ଯାତ୍ରୀଙ୍କ ବିଶ୍ୱାସ ପୁନଃସ୍ଥାପନ କରିବା ସହ ଟ୍ରେନ ଖାଦ୍ୟର ଗୁଣମାନକୁ ନୂଆ ମାନକରେ ପହଞ୍ଚାଇବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *