ନ୍ୟୁଜ ଡେକ୍ସ : ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ସମୟରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ କିମ୍ବା ଅନ୍ୟ ସଦସ୍ୟମାନଙ୍କୁ ଯଦି ଗିରଫ କରାଯାଏ, ତେବେ ସେ ୪୨ ଦିନିଆ ଅନଶନ ଆରମ୍ଭ କରିବେ। ସେ ନିଜେ ମଧ୍ୟ ଏହି ପ୍ରତିବାଦରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି।ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଏକ ଭିଡିଓ ବାର୍ତ୍ତାରେ ୱାଙ୍ଗଚୁକ କହିଛନ୍ତି ଯେ, ସେ ଲଦାଖରୁ ଦିଲ୍ଲୀ ଆସି ଜନ୍ତର ମନ୍ତରରେ ଆନ୍ଦୋଳନକାରୀଙ୍କ ସହ ଯୋଗଦେବେ।
ତେବେ ଯଦି ତାଙ୍କୁ କିମ୍ବା ଆନ୍ଦୋଳନ ସହ ଜଡିତ କୌଣସି ସଦସ୍ୟଙ୍କୁ ଗିରଫ କରାଯାଏ, ସେ ଏକ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ।ସେ କହିଛନ୍ତି ଯେ, ଏପରି ପରିସ୍ଥିତିରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିବେ ଏବଂ ଏହା ୪୨ ଦିନ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି।ୱାଙ୍ଗଚୁକ ଆହୁରି କହିଛନ୍ତି ଯେ, ସମସ୍ତେ ଆଶାବାଦୀ ରହିବା ସହ ସମ୍ଭାବ୍ୟ ପରିସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତ ରହିବା ଦରକାର।
ଏହି ପ୍ରତିବାଦକୁ ଦେଶର ଇତିହାସର ସବୁଠାରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ପରିଣତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।ସେହିପରି କୌଣସି ଅସାମାଜିକ ତତ୍ତ୍ୱ ଯେପରି ଅଶାନ୍ତି ସୃଷ୍ଟି କରିପାରିବେ ନାହିଁ, ସେଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ୱାଙ୍ଗଚୁକଙ୍କ ଏହି ଘୋଷଣା ପରେ ରାଜଧାନୀର ଏହି ପ୍ରତିବାଦକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି।

