Mon. Jun 8th, 2026

ନ୍ୟୁଜ ଡେକ୍ସ : ଫିଲିପାଇନ୍ସର ଦକ୍ଷିଣ ଅଞ୍ଚଳ ମିଣ୍ଡାନାଓ ଦ୍ୱୀପ ନିକଟରେ ସୋମବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ ଅନୁସାରେ ଏହି ଭୂକମ୍ପର ପ୍ରାରମ୍ଭିକ ତୀବ୍ରତା ୮.୨ ମାପାଯାଇଛି।ଭୂକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଉପକୂଳ ନିକଟରେ ଥିବା ସହ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଘଟିଥିବା ଜଣାପଡ଼ିଛି।

ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୭ଟା ୪୦ ମିନିଟ୍‌ରେ ଏହି ଭୂକମ୍ପ ହୋଇଥିଲା। ଭୂକମ୍ପର ତୀବ୍ର ଝଟକାରେ ଲୋକମାନେ ଭୟଭୀତ ହୋଇ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଦୌଡ଼ିଥିଲେ।ଭୂକମ୍ପ ପରେ ଫିଲିପାଇନ୍ସ ସହିତ ଇଣ୍ଡୋନେସିଆ ଓ ପ୍ରଶାନ୍ତ ମହାସାଗରର କିଛି ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ଫିଲିପାଇନ୍ସର ଭୂକମ୍ପ ଓ ଅଗ୍ନିଗିରି ନିରୀକ୍ଷଣ ସଂସ୍ଥା ପକ୍ଷରୁ ଉପକୂଳ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସରିଯିବାକୁ ପରାମର୍ଶ ଦିଆଯାଇଛି।

କେତେକ ସ୍ଥାନରେ ସମୁଦ୍ର ଜଳ ପଛକୁ ହଟିଥିବା ରିପୋର୍ଟ ମିଳିଛି ଏବଂ ସୁନାମି ତରଙ୍ଗ କିଛି ଘଣ୍ଟା ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସତର୍କ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ କିଛି ଅଞ୍ଚଳରେ ବିଦ୍ୟୁତ ଓ ଯୋଗାଯୋଗ ସେବା ବାଧାପ୍ରାପ୍ତ ହୋଇଛି ଏବଂ କିଛି ଭବନରେ ଫାଟ ଦେଖାଦେଇଛି।ତେବେ ଏପର୍ଯ୍ୟନ୍ତ ବଡ଼ ଧରଣର ଜନହାନି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। କ୍ଷୟକ୍ଷତିର ଆକଳନ ଏବେ ମଧ୍ୟ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *