Mon. Jun 8th, 2026

ନ୍ୟୁଜ ଡେକ୍ସ : ଡିଜିପିଙ୍କ ନିର୍ଦ୍ଦେଶ ପରେ ରାଜଧାନୀରେ ରାତିଅଧିଆ ବ୍ଲକିଂ ଚେକିଂ କଡାକଡି ହୋଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ଶତାଧିକ ଗାଡ଼ି ବିଭିନ୍ନ ଥାନାରେ ଜବତ ହୋଇଛି। ଏହାମଧ୍ୟରୁ ଅଧିକାଂଶ ମଦ୍ୟପାନ କରି ଗାଡ଼ି ଚଳାଇଥିବା ଅଭିଯୋଗରେ ଧରାପଡିଛି।

କିନ୍ତୁ ଆରୋପପତ୍ର ପ୍ରସ୍ତୁତି ବିଳମ୍ବ ହେଉଥିବାରୁ ଅଧିକାଂଶ ଗାଡ଼ି ଏବେ ଥାନାରେ ପଡି ରହିଛି। ଥାନାଗୁଡିକରେ ସ୍ଥାନ ଅଭାବ ହେତୁ ଏହି ଗାଡ଼ିଗୁଡିକୁ ଥାନା ସମ୍ମୁଖ ରାସ୍ତାରେ ରଖାଯାଉଛି। ଫଳରେ କେତେକ ସ୍ଥାନରେ ରାସ୍ତା ଆଂଶିକ ଭାବେ ଅବରୋଧ ହେଉଛି।ଲିଙ୍ଗରାଜ, ବଡଗଡ, ଖାରବେଳନଗର ଓ କ୍ୟାପିଟାଲ ଥାନା ଅଞ୍ଚଳରେ ଏହି ପରିସ୍ଥିତି ଅଧିକ ଦେଖାଯାଇଛି। ମଞ୍ଚେଶ୍ୱର ଥାନା ସମ୍ମୁଖରେ ତ ରାସ୍ତାରେ ଏକା ସମୟରେ ଦୁଇଟି ଗାଡ଼ି ଚଳାଚଳ କରିବା ମଧ୍ୟ କଷ୍ଟକର ହେଉଛି।ଗାଡ଼ି ମାଲିକମାନେ କହୁଛନ୍ତି ଯେ, ସେମାନେ ନିୟମିତ ଥାନାକୁ ଯାଇ ଗାଡ଼ି ଛାଡ଼ିବା ପାଇଁ ଅନୁରୋଧ କରୁଥିଲେ ମଧ୍ୟ ଆରୋପପତ୍ର ପ୍ରସ୍ତୁତି ବିଳମ୍ବ ହେଉଛି।

ଏହାରେ ସେମାନଙ୍କ ଆର୍ଥିକ ହାନି ହେଉଛି, କାରଣ କେତେକ ଲୋକ ଭଡାରେ ଗାଡ଼ି ଚଳାଇ ପରିବାର ଚଳାନ୍ତି।ଥାନା ଅଧିକାରୀମାନେ କହିଛନ୍ତି ଯେ, ଆରୋପପତ୍ର ପ୍ରସ୍ତୁତି ପାଇଁ ନିର୍ଦ୍ଧାରିତ ସମୟ ରହିଛି। ତେବେ ଅଧିକ ଗାଡ଼ି ଜବତ ହେଉଥିବାରୁ କାର୍ଯ୍ୟ ଚାପ ବଢିଛି। ସମ୍ଭବ ଶୀଘ୍ର ଆରୋପପତ୍ର ଦାଖଲ କରାଯାଇ ଗାଡ଼ିଗୁଡିକୁ ମୁକ୍ତ କରାଯିବ ବୋଲି ସେମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *