ନ୍ୟୁଜ ଡେକ୍ସ : ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସଚେତନତା ଏବଂ ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ ଯାନମୁକ୍ତ ପରିସର ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ କିଟ୍କୁ ସ୍ୱର୍ଣ୍ଣ ସମ୍ମାନ ପ୍ରଦାନ କରାଯାଇଛି।ଜବାହରଲାଲ ନେହରୁ ଅନ୍ତଃକ୍ରୀଡ଼ା ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଠାରୁ କିଟ୍ ଓ କିସ୍ର କ୍ରୀଡ଼ା ମହାନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଏହି ସମ୍ମାନ ଗ୍ରହଣ କରିଥିଲେ।
କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ଦୀର୍ଘଦିନ ଧରି ସାଇକେଲ ଚଳାଚଳକୁ ପ୍ରୋତ୍ସାହିତ କରିଆସୁଛି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା, ପରିବେଶ ପ୍ରଦୂଷଣ ହ୍ରାସ ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସାଇକେଲ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। କ୍ୟାମ୍ପସରେ ଦେଶର ପ୍ରଥମ ୨୫୦ ମିଟର ବିଶିଷ୍ଟ କଂକ୍ରିଟ ସାଇକେଲ ଦୌଡ଼ପଥ ନିର୍ମାଣ କରାଯାଇଛି, ଯାହା ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜେତା ସାଇକେଲ ଖେଳାଳି ମିନତି ମହାପାତ୍ରଙ୍କ ନାମରେ ନାମିତ। କ୍ୟାମ୍ପସ ଭିତରେ ସାଇକେଲ ବ୍ୟବହାର ଦ୍ୱାରା ପ୍ରଦୂଷଣ ହ୍ରାସ ପାଉଥିବା ବେଳେ କାର୍ବନ ନିର୍ଗମନ ମଧ୍ୟ କମୁଛି।
ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଚଳାଇବା ଏକ ସରଳ ଓ ଉପକାରୀ ବ୍ୟାୟାମ ଭାବେ ପରିଗଣିତ ହେଉଛି। ହଜାର ହଜାର ଛାତ୍ରଛାତ୍ରୀ ନିଜର ଦୈନନ୍ଦିନ ଜୀବନରେ ସାଇକେଲ ବ୍ୟବହାର କରି ସବୁଜ ପରିବେଶ ଗଠନରେ ଅବଦାନ ରଖୁଛନ୍ତି।କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ, ସ୍ଥାୟୀ ବିକାଶ ଓ ସାମାଜିକ ଦାୟିତ୍ୱବୋଧକୁ କେନ୍ଦ୍ରକରି ଗଢ଼ିଉଠିଥିବା ଏହି ପ୍ରୟାସକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ଏହି ଅବସରରେ ଆସାମର ଶ୍ରୀ ଶ୍ରୀ ଅନିରୁଦ୍ଧଦେବ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଏବଂ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଯାନମୁକ୍ତ ପରିସର ପାଇଁ ସମ୍ମାନିତ କରାଯାଇଛି।

