ନ୍ୟୁଜ ଡେକ୍ସ : ବାଲିଅନ୍ତାର ଚର୍ଚ୍ଚିତ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ତଦନ୍ତର ପରିସର ଆହୁରି ବଢ଼ିଛି। ସୌମ୍ୟରଞ୍ଜନଙ୍କ ମାଆ କବିତା ସ୍ୱାଇଁଙ୍କ ଅଭିଯୋଗକୁ ଆଧାର କରି ଅପରାଧ ଅନୁସନ୍ଧାନ ଶାଖା ପକ୍ଷରୁ ରେଳ ଓ ତଟ ସୁରକ୍ଷା ବିଭାଗକୁ ଏକ ଚିଠି ଲେଖାଯାଇ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବାକୁ କୁହାଯାଇଛି।
ସୌମ୍ୟରଞ୍ଜନଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ସୌମ୍ୟଙ୍କୁ ତାଙ୍କ ସରକାରୀ ଦାୟିତ୍ୱ ବ୍ୟତୀତ ଘରୋଇ କାମରେ ନିୟୋଜିତ କରାଯାଉଥିଲା। ସେ ଘରର ବିଭିନ୍ନ କାମ ସହ ଜିମ୍ ପରିଚାଳନା ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ଏହା ଯୋଗୁଁ ସୌମ୍ୟରଞ୍ଜନ ଦୀର୍ଘଦିନ ଧରି ମାନସିକ ଚାପ ଓ ଦୁଶ୍ଚିନ୍ତାରେ ରହୁଥିବା ତାଙ୍କ ମାଆ ଦାବି କରିଛନ୍ତି।ଏହି ହତ୍ୟାକାଣ୍ଡ ପରେ ରାଜ୍ୟରେ ବ୍ୟାପକ ପୁଲିସ ପ୍ରଶାସନିକ ଅଦଳବଦଳ କରାଯାଇଥିଲା।
ସେହି ପରିବର୍ତ୍ତନରେ ସମ୍ପୃକ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମ ମଧ୍ୟ ସାମିଲ ଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ବଦଳି କରାଯାଇ ଗୃହ ବିଭାଗରେ ବିଶେଷ କର୍ତ୍ତବ୍ୟରତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ଏହି ବଦଳିକୁ ସୌମ୍ୟରଞ୍ଜନଙ୍କ ସହ ହୋଇଥିବା କଥିତ ଅନ୍ୟାୟ ଘଟଣା ସହ ଯୋଡ଼ି ଦେଖାଯାଉଥିବା ବେଳେ, ଏବେ ଅପରାଧ ଅନୁସନ୍ଧାନ ଶାଖାର ଚିଠି ପରେ ଘଟଣାର ତଦନ୍ତ ନୂଆ ମୋଡ଼ ନେଇଛି। ତଦନ୍ତରୁ ଆସୁଥିବା ତଥ୍ୟ ଉପରେ ସମସ୍ତଙ୍କ ନଜର ରହିଛି।

