ନ୍ୟୁଜ ଡେକ୍ସ : ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ଜାତୀୟ ମାନବିକ ଅଧିକାର କମିଶନ (NHRC) ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆହୁରି ତୀବ୍ର କରାଯାଇଛି। ବୁଧବାର ଏହି ମାମଲାରେ ତୃତୀୟ ଦିନର ତଦନ୍ତ ଶେଷ ହୋଇଥିବା ବେଳେ ପ୍ରମୁଖ ସାକ୍ଷୀମାନଙ୍କୁ ଦୀର୍ଘ ସମୟ ଧରି ମାରାଥନ୍ ଜେରା କରାଯାଇଛି।ସୂଚନା ଅନୁଯାୟୀ, NHRC ଟିମ୍ ସୌମ୍ୟରଞ୍ଜନଙ୍କ ସାଙ୍ଗ ଓମ୍ ଏବଂ ପୀଡ଼ିତା ଯୁବତୀଙ୍କୁ ବିସ୍ତୃତ ଭାବେ ପଚରାଉଚରା କରିଛି।
ପୀଡ଼ିତା ଯୁବତୀଙ୍କୁ ପ୍ରାୟ ୪ ଘଣ୍ଟା ଧରି ଏବଂ ସୌମ୍ୟଙ୍କ ସାଙ୍ଗ ଓମ୍ଙ୍କୁ ଦୀର୍ଘ ୯ ଘଣ୍ଟା ଧରି ଜେରା କରାଯାଇଥିଲା। ସେମାନଙ୍କ ବୟାନର ସତ୍ୟତା ଯାଞ୍ଚ କରିବା ସହ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ପାଇଁ ଏହି ତଦନ୍ତ ଚାଲିଛି।ତଦନ୍ତ ସମୟରେ କେତେକ ସାକ୍ଷୀଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଏକାକୀ ଜେରା କରାଯାଇଛି।
ଏହାସହ ବାଲିଅନ୍ତା ପୋଲିସ, ଆମ୍ବୁଲାନ୍ସ ଡ୍ରାଇଭର, ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର ଓ ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ NHRC ଅଧିକାରୀମାନେ ପଚରାଉଚରା କରିଛନ୍ତି। ଘଟଣାଦିନ କ’ଣ ଘଟିଥିଲା ଏବଂ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ସେଥିପାଇଁ NHRC ଟିମ୍ ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଗଭୀର ଭାବେ ଖୋଳତାଡ଼ କରୁଛି। ଏହି ମାରାଥନ୍ ଜେରା ପରେ ମାମଲାର ଅନେକ ଅନାବୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

