Wed. Jun 17th, 2026

ନ୍ୟୁଜ ଡେକ୍ସ : ଶନିବାର ସଜବାଜ ଏବଂ ରବିବାର ପହିଲି ରଜକୁ ନେଇ ସାରା ରାଜଧାନୀରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ରଜ ପର୍ବ ପାଳନ ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ବଢ଼ିଯାଇଛି। ନୂଆ ପୋଷାକ, ପ୍ରସାଧନ ସାମଗ୍ରୀ ଓ ଅଳଙ୍କାର କିଣିବା ପାଇଁ ବଜାରରେ ଭିଡ଼ ଜମିବା ଆରମ୍ଭ ହୋଇଛି। ରଜର ତିନି ଦିନ କିପରି ଆନନ୍ଦର ସହ ପାଳନ କରିବେ, ସେଥିପାଇଁ ଅନେକେ ପୂର୍ବରୁ ଯୋଜନା ମଧ୍ୟ କରିସାରିଛନ୍ତି।ରଜ ପାନ ଓ ବିଭିନ୍ନ ପ୍ରକାର ପିଠାର ଚାହିଦା ବଢ଼ିଥିବାରୁ ସହରର ବିଭିନ୍ନ ଛକ ଓ ବଜାର ଅଞ୍ଚଳରେ ଅସ୍ଥାୟୀ ଦୋକାନ ଖୋଲାଯାଇଛି।

ଅନେକ ବ୍ୟବସାୟୀ ପିଠା ପାଇଁ ଆଗୁଆ ଆଦେଶ ନେବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ବଡ଼ ବଡ଼ ବଜାର କେନ୍ଦ୍ରରୁ ଆରମ୍ଭ କରି ଛୋଟ ଦୋକାନ ପର୍ଯ୍ୟନ୍ତ ସବୁଠି କିଣାକିଣି ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି।ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଳଙ୍କାର ଦୋକାନରେ ସୁନ୍ଦର ସାଜସଜ୍ଜା ସହ ରଜ ଦୋଳି ବାନ୍ଧାଯାଇଛି। ରଜ ଗୀତର ସୁର ଏବେ ଗାଁଠାରୁ ସହର ପର୍ଯ୍ୟନ୍ତ ପରିବେଶକୁ ମୁଖରିତ କରିଦେଇଛି। ରଜ ଦୋଳି, ରଜ ଗୀତ, ମିଠାପାନ ଓ ପିଠାପଣାର ମହକରେ ସାରା ପରିବେଶ ଉତ୍ସବମୟ ହୋଇଉଠିଛି।

ପାଦରେ ଅଳତା, ହାତରେ ମେହେନ୍ଦି ଓ କେଶରେ ଫୁଲ ସଜାଇ ଯୁବତୀମାନେ ଦୋଳି ଖେଳିବାକୁ ପ୍ରସ୍ତୁତ ହେଉଥିବାବେଳେ ଛୋଟଠାରୁ ବଡ଼ ସମସ୍ତେ ରଜର ଆନନ୍ଦରେ ମଗ୍ନ ହୋଇପଡ଼ିଛନ୍ତି। ଯଦିଓ ରଜକୁ ଝିଅମାନଙ୍କ ପର୍ବ ବୋଲି କୁହାଯାଏ, ତଥାପି ସମାଜର ସମସ୍ତ ବର୍ଗର ଲୋକ ଏହାକୁ ଆନନ୍ଦର ସହ ପାଳନ କରନ୍ତି। ସେଥିପାଇଁ ରଜକୁ ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ ଭାବେ ମଧ୍ୟ ପରିଚିତ କରାଯାଏ। ରଜର ଆଗମନ ସହ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଆନନ୍ଦର ଅନନ୍ୟ ଛବି ପୁଣିଥରେ ଜୀବନ୍ତ ହୋଇଉଠିଛି।

Leave a Reply

Your email address will not be published. Required fields are marked *