Mon. Jun 15th, 2026

ନ୍ୟୁଜ ଡେକ୍ସ : ଶରୀରରେ କ୍ୟାଲସିୟମର ଅଭାବ ହେଲେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ବିଶେଷକରି ଏହା ହାଡ଼କୁ ଦୁର୍ବଳ କରିଦେଇ ଅକାଳରେ ହାଡ଼ର ଘନତା କମାଇଥାଏ। ତେବେ ଦୈନନ୍ଦିନ ଖାଦ୍ୟାଭ୍ୟାସରେ କିଛି ପରିବର୍ତ୍ତନ ଆଣି କ୍ୟାଲସିୟମ ଅଭାବକୁ ପୂରଣ କରାଯାଇପାରେ। ଦୁଗ୍ଧଜାତ ଖାଦ୍ୟ, ସବୁଜ ପନିପରିବା ଏବଂ ପୌଷ୍ଟିକ ଶସ୍ୟ ସହ ଶୁଷ୍କ ଫଳ ସାମିଲ କଲେ ହାଡ଼ ସୁସ୍ଥ ଓ ମଜବୁତ ରହିପାରିବ।ବାଦାମ ହାଡ଼ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ବୋଲି ଧରାଯାଏ।

ଏଥିରେ କ୍ୟାଲସିୟମ, ଭିଟାମିନ ଇ ଏବଂ ମ୍ୟାଗ୍ନେସିୟମ ପ୍ରଚୁର ପରିମାଣରେ ରହିଥାଏ। ଏହା ହାଡ଼ର ଘନତା ବଢ଼ାଇବା ସହ ଶରୀରକୁ କ୍ୟାଲସିୟମ ଶୋଷଣରେ ସହାୟତା କରେ। ପ୍ରତିଦିନ ସକାଳେ କିଛି ଭିଜା ବାଦାମ ଖାଇବା ହାଡ଼କୁ ଶକ୍ତିଶାଳୀ କରିଥାଏ।ଅଞ୍ଜିର ମଧ୍ୟ କ୍ୟାଲସିୟମର ଏକ ଭଲ ଉତ୍ସ ଭାବେ ପରିଚିତ। ଏଥିରେ ଥିବା ପୋଟାସିୟମ ଶରୀରରୁ କ୍ୟାଲସିୟମ କ୍ଷୟକୁ ରୋକିବାରେ ସହାୟକ ହୋଇଥାଏ। ନିୟମିତ ଅଞ୍ଜିର ସେବନ କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଡ଼କୁ ସୁସ୍ଥ ରଖାଯାଇପାରିବ।କାଜୁରେ ମ୍ୟାଗ୍ନେସିୟମ ଏବଂ ତାମ୍ର ତତ୍ତ୍ୱ ଭରପୂର ରହିଛି। ଏହି ପୋଷକ ତତ୍ତ୍ୱ ହାଡ଼ର ଗଠନ ଏବଂ ନମନୀୟତାକୁ ଉନ୍ନତ କରିଥାଏ।

ତେବେ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ।କିସମିସରେ ବୋରନ ନାମକ ଖଣିଜ ପଦାର୍ଥ ରହିଛି, ଯାହା ହାଡ଼ ଏବଂ ଗଣ୍ଠିର ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଏହା ଶରୀରକୁ କ୍ୟାଲସିୟମ ଓ ଭିଟାମିନ ଡିର ସଠିକ ବ୍ୟବହାରରେ ସହଯୋଗ କରେ।ସେହିପରି ଅଖରୋଟରେ ଥିବା ଉପକାରୀ ଚର୍ବି ହାଡ଼ର ପ୍ରଦାହ କମାଇବା ସହ ଏହାକୁ ଅଧିକ ମଜବୁତ କରିଥାଏ। ସେଥିପାଇଁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଏହି ଶୁଷ୍କ ଫଳଗୁଡ଼ିକୁ ସାମିଲ କଲେ କ୍ୟାଲସିୟମ ଅଭାବ ଦୂର ହେବା ସହ ହାଡ଼ ସ୍ୱାସ୍ଥ୍ୟ ଭଲ ରହିପାରିବ।

Leave a Reply

Your email address will not be published. Required fields are marked *