Mon. Jun 15th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ଦୁଇଟି ଜିଲ୍ଲାରୁ ପରିବାର ମଧ୍ୟରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଘଟିଛି ଦୁଇଟି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାରେ ଘଟିଥିବା ଏହି ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ତୋଟା ସାହିରେ ପୁଅର ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ପରେ ଉତ୍ତେଜିତ ହୋଇ ପୁଅ କାଠଫାଳିଆରେ ବାପାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚୁରା ଚଳାଇଛି।ସେହିପରି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଧୀନ ପୋକୁଣ୍ଡା ଗାଁରେ ସାନ ଭାଇର ଆକ୍ରମଣରେ ବଡ଼ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ଟିଟୁନ ସିଠ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ସେ ମଦ୍ୟପାନ କରି ଘରକୁ ଆସିଥିବା ବେଳେ ଘରର ଫାଟକ ଖୋଲା ନଥିବାରୁ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ।

ଏଥିରେ ଉତ୍ତେଜିତ ହୋଇ ସାନ ଭାଇ ବିପିନ ସିଠ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ବେକରେ ଗୁରୁତର ଆଘାତ ଲାଗିବାରୁ ଘଟଣାସ୍ଥଳରେ ଟିଟୁନଙ୍କ ମୃତ୍ୟୁ ହୋଇଥିଲା।ଖବର ପାଇ ପୁରୁଣାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବିପିନଙ୍କୁ କାବୁ କରାଯାଇଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଉଭୟ ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *