ନ୍ୟୁଜ ଡେକ୍ସ : କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗାଁରେ ଏକ ଅତ୍ୟନ୍ତ ଦୁଃଖଦ ଓ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୫ ବର୍ଷର ନିଷ୍ପାପ ଶିଶୁକୁ ମିଠାରେ ବିଷ ଦେଇଥିବା ଗୁରୁତର ଅଭିଯୋଗ ପଡୋଶୀଙ୍କ ବିରୋଧରେ ହୋଇଛି।ଘଟଣାଟି ଗତ ମାସ ୨୨ ତାରିଖରେ ଘଟିଥିବା ଅଭିଯୋଗ ରହିଛି।
ଅଭିଯୋଗ ଅନୁସାରେ ୫ ବର୍ଷର ଶିଶୁ ଦିବ୍ୟରଞ୍ଜନଙ୍କୁ ତାଙ୍କ ପଡୋଶୀ ଜଣେ ବ୍ୟକ୍ତି ମିଠାରେ ବିଷ ମିଶାଇ ଦେଇଥିଲେ। ଏହା ପରେ ଶିଶୁର ଅବସ୍ଥା ହଠାତ୍ ଗୁରୁତର ହୋଇଯାଇଥିଲା।ଶିଶୁର ପରିବାର ଏହି ଗୁରୁତର ଅଭିଯୋଗ ନେଇ ସାଲେପୁର ଥାନାରେ ଏତଲା ଦାଖଲ କରିଛନ୍ତି। ଏତଲାରେ ପୂର୍ବ ଶତ୍ରୁତାକୁ ଏହି ଘଟଣାର କାରଣ ବୋଲି ଉଲ୍ଲେଖ କରାଯାଇଛି।ବର୍ତ୍ତମାନ ଦିବ୍ୟରଞ୍ଜନ କଟକ ଶିଶୁଭବନରେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।
ଡାକ୍ତରୀ ଦଳ ତାଙ୍କ ଅବସ୍ଥା ଉପରେ ଲଗାତାର ନଜର ରଖିଛନ୍ତି। ଅଭିଯୋଗ ପରେ ସାଲେପୁର ପୋଲିସ ମାମଲା ରୁଜୁ କରିଛି ଏବଂ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି ଯେ ତଥ୍ୟ ଓ ପ୍ରମାଣ ଆଧାରରେ ତଦନ୍ତ ଚାଲିଛି ଏବଂ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଏବଂ ଲୋକେ ଅତ୍ୟନ୍ତ ଆକ୍ରୋଶ ପ୍ରକାଶ କରୁଛନ୍ତି।

