Wed. Jun 17th, 2026

ନ୍ୟୁଜ ଡେକ୍ସ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଗସ୍ତ ସମୟରେ ସୁରକ୍ଷା ଏବଂ ପରିଚାଳନା ବ୍ୟବସ୍ଥାରେ କୌଣସି ତ୍ରୁଟି ନରହିବାକୁ ନେଇ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସମସ୍ତ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ବୈଠକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଯାନବାହନ ଚଳାଚଳ ବ୍ୟବସ୍ଥା, ସୁରକ୍ଷା ନିୟମାବଳୀ, ସଭାସ୍ଥଳ ପରିଚାଳନା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାରେ ସାମାନ୍ୟତମ ତ୍ରୁଟି ମଧ୍ୟ ନରହିବାକୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ, ଗୁଇନ୍ଦା ସଂସ୍ଥା ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଓ ରାଜ୍ୟ ପୋଲିସ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖି ପୂର୍ବପ୍ରସ୍ତୁତ ଯୋଜନା ଅନୁଯାୟୀ କାର୍ଯ୍ୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଗସ୍ତ ସମୟରେ ଯାତାୟାତ ନିୟନ୍ତ୍ରଣ ହେଲେ ମଧ୍ୟ ସାଧାରଣ ଲୋକଙ୍କ ଅସୁବିଧା ଯେପରି ନହୁଏ ଏବଂ ବିଶେଷକରି ରୋଗୀବାହୀ ଗାଡ଼ି ଭଳି ଜରୁରୀକାଳୀନ ସେବା ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି।ଏହି ସମୀକ୍ଷା ବୈଠକରେ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଗୃହ ସଚିବ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗସ୍ତକୁ ସଫଳ, ସୁରକ୍ଷିତ ଏବଂ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *