Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ସୂଚନା ମୁତାବକ, ଆଜି କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ନ ପାଖାପାଖି ୫ଟାରୁ ବନକଲାଗି ଆରମ୍ଭ ହେବ। ଏହା ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ବନକଲାଗି ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ କାର୍ତ୍ତିକ ମାସ ଚାଲୁଥିବା ବେଳେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି । କାର୍ତ୍ତିକ ବ୍ରତଧାରୀଙ୍କ ବ୍ୟତୀତ ଅନ୍ୟ ଶ୍ରଦ୍ଧାଳୁମାନେ ମଧ୍ୟ କାଳିଆ ଦର୍ଶନ ପାଇଁ ଧାଇଁ ଆସୁଛନ୍ତି। ଏପରି ସମୟରେ ଆଜି ୫ ଘଣ୍ଟା ଦର୍ଶନ ବନ୍ଦ ରହିବ ଶୁଣି ଦୂରଦୂରାନ୍ତରୁ ଆସିଥିବା ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ଅନାଇ ରହିଛନ୍ତି ।

Leave a Reply

Your email address will not be published. Required fields are marked *