ନ୍ୟୁଜ ଡେକ୍ସ : କାରିବିୟାନ୍ ଅଞ୍ଚଳର ଦେଶ ଡୋମିନିକାନ୍ ଗଣରାଜ୍ୟର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ବାୟାହିବେର ଏକ ବିଳାସପୂର୍ଣ୍ଣ ସମୁଦ୍ରତଟ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଇଟାଲୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ଘଟଣା ପରେ ଅଞ୍ଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।ରିସର୍ଟରେ ନିଆଁ ଲାଗିବା ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସେମାନେ ପ୍ରାୟ ୧୭୦୦ ଅତିଥି ଓ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେବାରେ ସଫଳ ହୋଇଥିଲେ। ଘଟଣାରେ ଆହତ ହୋଇଥିବା ତିନି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ଛଅ ଜଣଙ୍କୁ ଘଟଣାସ୍ଥଳରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା।ପ୍ରଶାସନ ପକ୍ଷରୁ ପ୍ରଭାବିତ ପର୍ଯ୍ୟଟକମାନଙ୍କୁ ନିକଟବର୍ତ୍ତୀ ଅନ୍ୟ ଆବାସିକ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିସହିତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ତାଳଗଛର ଗଣ୍ଡି ଓ ପତ୍ରରେ ନିର୍ମିତ ଛାତର ଜ୍ୱଳନଶୀଳ ପ୍ରକୃତି ସହ ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା।
ଫଳରେ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରିବାକୁ ପଡ଼ିଥିଲା। ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଦୃଶ୍ୟରେ ଉପକୂଳ ଅଞ୍ଚଳ ଉପରେ ଘନ କଳା ଧୂଆଁ ଆକାଶକୁ ଉଠୁଥିବା ଦେଖାଯାଇଥିଲା। ତେବେ ଘଟଣା ସତ୍ତ୍ୱେ ବାୟାହିବେ ଓ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନ କାର୍ଯ୍ୟକଳାପ ସାଧାରଣ ଭାବେ ଚାଲିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।ସ୍ୱଚ୍ଛ ଜଳରାଶି ଓ ଧଳା ବାଲିର ବେଳାଭୂମି ପାଇଁ ପ୍ରସିଦ୍ଧ ଡୋମିନିକାନ୍ ଗଣରାଜ୍ୟ ବିଶ୍ୱର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ। ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ପ୍ରାୟ ୫.୬ ନିୟୁତ ପର୍ଯ୍ୟଟକ ଏହି ଦେଶ ପରିଦର୍ଶନ କରିଥିବା ସୂଚନା ମିଳିଛି।

