ନ୍ୟୁଜ ଡେକ୍ସ : ବିଶ୍ୱ ବଜାରରେ ଅଶୋଧିତ ତୈଳର ଦର ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ କମିବା ନେଇ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଆଶା ବଢ଼ିଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ଏବଂ ଆମେରିକା-ଇରାନ ମଧ୍ୟରେ ଶାନ୍ତି ବୁଝାମଣା ପରେ ଆନ୍ତର୍ଜାତୀୟ ବଜାରରେ ତୈଳ ଦରରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ପୂର୍ବରୁ ପ୍ରତି ବ୍ୟାରେଲ ୧୨୦ ଡଲାର ଅତିକ୍ରମ କରିଥିବା ଅଶୋଧିତ ତୈଳ ଏବେ ପ୍ରାୟ ୭୮ ଡଲାର ସ୍ତରକୁ ଖସି ଆସିଛି।
ତେବେ ଏହି ହ୍ରାସର ପ୍ରଭାବ ଦେଶର ଖୁଚୁରା ଇନ୍ଧନ ବଜାରରେ ତୁରନ୍ତ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆନ୍ତର୍ଜାତୀୟ ବଜାରରେ ଦର କମିଲେ ମଧ୍ୟ ଘରୋଇ ବଜାରରେ ତୁରନ୍ତ ମୂଲ୍ୟ ହ୍ରାସ କରିବା ସମ୍ଭବ ନୁହେଁ।କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ଯେ କମ ଦରରେ କିଣାଯାଇଥିବା ଅଶୋଧିତ ତୈଳ ଭାରତରେ ପହଞ୍ଚିବା ଏବଂ ତାହାର ପ୍ରଭାବ ବଜାରରେ ଦେଖାଯିବା ପାଇଁ କିଛି ସମୟ ଲାଗିବ। ହରମୁଜ ପ୍ରଣାଳୀ ଦେଇ ସାମୁଦ୍ରିକ ଯାତାୟାତ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପରେ ହିଁ ଏହାର ପ୍ରକୃତ ସୁଫଳ ମିଳିପାରିବ।ସରକାରଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ତୈଳ ଦର ଅତ୍ୟଧିକ ବୃଦ୍ଧି ପାଇଥିବା ସମୟରେ ତୈଳ କମ୍ପାନୀ ଓ ସରକାର ବିପୁଳ ଆର୍ଥିକ ଚାପ ସହିଥିଲେ।
ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ବଡ଼ ପରିମାଣର ଆର୍ଥିକ ବୋଝ ବହନ କରିଥିଲେ। ତେଣୁ ବର୍ତ୍ତମାନ ତୈଳ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିରତା ଏବଂ ବଜାର ପରିସ୍ଥିତିକୁ ବିଚାର କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଆଗାମୀ ଦିନରେ ଆନ୍ତର୍ଜାତୀୟ ବଜାରର ସ୍ଥିତି, ଦେଶୀୟ ଚାହିଦା ଏବଂ ଯୋଗାଣ ବ୍ୟବସ୍ଥାକୁ ସମୀକ୍ଷା କରି ଇନ୍ଧନ ମୂଲ୍ୟ ହ୍ରାସ ସମ୍ପର୍କରେ ବିଚାର କରାଯିବ।ଫଳରେ ବିଶ୍ୱ ବଜାରରେ ତୈଳ ଦର କମିଥିଲେ ମଧ୍ୟ ଦେଶର ଖାଉଟିମାନଙ୍କୁ ଶସ୍ତା ପେଟ୍ରୋଲ ଓ ଡିଜେଲ ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

