ନ୍ୟୁଜ ଡେକ୍ସ : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ପ୍ରଥମ ନାଗରିକ ତଥା ଓଡ଼ିଶାର ଗର୍ବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କର ଏହି ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତକୁ ନେଇ ଜିଲ୍ଲାବ୍ୟାପୀ ଉତ୍ସାହ ଓ ଉତ୍କଣ୍ଠାର ପରିବେଶ ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।ସୂଚନା ଅନୁସାରେ, ରାଷ୍ଟ୍ରପତି ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ଦାଣ୍ଡଭୋଷ ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣମୂଳକ ଓ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ।
ତାଙ୍କ ହସ୍ତରେ ଏକ ବିଶେଷ ସ୍ୱାସ୍ଥ୍ୟ ଶିବିରର ଉଦ୍ଘାଟନ ହେବ, ଯାହା ମାଧ୍ୟମରେ ଅଞ୍ଚଳବାସୀ ଉନ୍ନତ ଓ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାର ସୁବିଧା ପାଇପାରିବେ। ସେହିପରି ବହୁ ପ୍ରତୀକ୍ଷିତ ବୃହତ୍ ପାଇପ୍ ଜଳଯୋଗାଣ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିବେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମୟୂରଭଞ୍ଜର ଅନେକ ଗ୍ରାମ ଓ ସହରାଞ୍ଚଳରେ ନିରବିଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ହେବ।ଏହାସହ ନୂତନ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଉଦ୍ଘାଟନ ମଧ୍ୟ ରାଷ୍ଟ୍ରପତିଙ୍କ ହସ୍ତରେ ସମ୍ପନ୍ନ ହେବ। ଏହା ଜିଲ୍ଲାର ଆଇନ ଓ ଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନିଜ ଜନ୍ମମାଟି ପାହାଡ଼ପୁର ଗସ୍ତ କରିବେ। ସେଠାରେ ଏକ ଆବାସିକ ବିଦ୍ୟାଳୟ ଓ କୌଶଳ ବିକାଶ କେନ୍ଦ୍ର ପରିଦର୍ଶନ କରି ଶିକ୍ଷା ଏବଂ କୌଶଳ ବିକାଶ କ୍ଷେତ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବେ।ରାଷ୍ଟ୍ରପତିଙ୍କ ଏହି ଗସ୍ତ ଜନଜାତି ଅଞ୍ଚଳର ବିକାଶ, ଶିକ୍ଷାର ପ୍ରସାର ଏବଂ ଯୁବପିଢ଼ିଙ୍କ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ଏଥିସହ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ମଧ୍ୟ ପୁଣିଥରେ ପ୍ରତିଫଳିତ ହୋଇଛି।

