Fri. Jun 19th, 2026

ନ୍ୟୁଜ ଡେକ୍ସ : ବାଲିଅନ୍ତାର ଯୁବ ପୁଲିସ କର୍ମଚାରୀ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରାଯାଇଛି। ଏହି ନିଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।ଦୟାଲ ଗଙ୍ଗୱାର ଗୃହ ବିଭାଗରେ ବିଶେଷ କର୍ତ୍ତବ୍ୟରତ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ।

ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ପରେ ତାଙ୍କ ନାମକୁ ନେଇ ବିବାଦ ଦେଖାଦେଇଥିଲା। ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଗଙ୍ଗୱାରଙ୍କ ବିରୋଧରେ ମାନସିକ ନିର୍ଯାତନା ଦେବା ସହ ସରକାରୀ କାର୍ଯ୍ୟ ବ୍ୟତୀତ ବ୍ୟକ୍ତିଗତ କାମରେ ନିୟୋଜିତ କରିବା ଭଳି ଗୁରୁତର ଅଭିଯୋଗ ଆଣାଯାଇଥିଲା।ଅଭିଯୋଗ ତୀବ୍ର ହେବା ପରେ ତାଙ୍କୁ ପୂର୍ବ ପଦବୀରୁ ହଟାଇ ଗୃହ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ମାମଲାର ତଦନ୍ତ କରୁଥିବା ଅପରାଧ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ତାଙ୍କୁ ପଚରାଉଚରା କରିଥିଲା।

ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ନିଲମ୍ବନ ଆଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସରକାରଙ୍କ ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଭାବେ ଦେଖାଯାଉଛି।ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *