Fri. Jun 19th, 2026

ନ୍ୟୁଜ ଡେକ୍ସ : ଛତିଶଗଡ଼ର କୋରିଆ ଜିଲ୍ଲାରେ ବାଲି ଖନନ ଓ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏକ ଚାଞ୍ଚଲ୍ୟକର ଏବଂ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ଜଣେ ରାଜନୈତିକ ନେତାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।ସୋନହଟ୍ ଥାନା ଅନ୍ତର୍ଗତ କଟକୋଡି ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ଭରତ ସିଂହ ଗେହରୱାର ଓରଫ ଲାଲ୍ଲା ସିଂହ, ତାଙ୍କ ସମ୍ପର୍କୀୟ ଭାଇ ନାଗେନ୍ଦ୍ର ସିଂହ ଏବଂ ବୀରେନ୍ଦ୍ର ପ୍ରତାପ ସିଂହ।

ଭରତ ସିଂହଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧୀନ ସମୟରେ ପ୍ରାଣ ହରାଇଥିଲେ।ସୂଚନା ଅନୁଯାୟୀ, ଭରତ ସିଂହ ନିଜ ଗାଡ଼ିରେ ଯାଉଥିବା ବେଳେ ଏକ ବିରୋଧୀ ଗୋଷ୍ଠୀ ପୂର୍ବ ଯୋଜନା ଅନୁସାରେ ତାଙ୍କ ରାସ୍ତା ଅବରୋଧ କରିଥିଲେ। ଗାଡ଼ିର ଆଗ ଓ ପଛରେ ଭାରୀ ଯାନ ରଖି ତାହାକୁ ଘେରି ଦିଆଯାଇଥିଲା। ପରେ ବାରମ୍ବାର ଧକ୍କା ଦେବା ଫଳରେ ଗାଡ଼ିର ଦ୍ୱାର ବନ୍ଦ ହୋଇଯାଇଥିଲା ଏବଂ ଭିତରେ ଥିବା ଲୋକମାନେ ବାହାରି ପାରିନଥିଲେ। ଏହାପରେ ଆକ୍ରମଣକାରୀମାନେ ଗାଡ଼ି ଉପରେ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଭରତ ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଅନ୍ୟ ଦୁଇଜଣ ଗୁରୁତର ଭାବେ ପୋଡ଼ିଯାଇଥିଲେ ଏବଂ ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବାଲି ଖାଦାନର ମାଲିକାନା, ପରିବହନ ଏବଂ ଆର୍ଥିକ କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଥିଲା। ଘଟଣା ଦିନ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଆପୋସ ସମାଧାନ ନାଁରେ ଡାକି ଏହି ଆକ୍ରମଣ କରାଯାଇଥିଲା।ପୁଲିସ ଏହି ମାମଲାରେ ୯ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ମୁଖ୍ୟ ଅଭିଯୁକ୍ତ ଅକ୍ଷତ ତ୍ରିପାଠୀ ଓ ବିଶାଳ ତ୍ରିପାଠୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସର ତଲାସି ଅଭିଯାନ ଜାରି ରହିଛି। ଘଟଣାର ଅଧିକ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *