Thu. Jun 18th, 2026

ନ୍ୟୁଜ ଡେକ୍ସ : ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ମଞ୍ଚେଶ୍ୱର ଥାନାର ସହକାରୀ ଉପନିରୀକ୍ଷକ ଓ ଦୁଇ ଗୃହରକ୍ଷୀଙ୍କ ବିରୋଧରେ କମିଶନରେଟ୍ ପୁଲିସ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସହକାରୀ ଉପନିରୀକ୍ଷକ ରାଜେଶ କୁଲୁଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଦୁଇ ଗୃହରକ୍ଷୀ ଜ୍ୟୋତି ରଞ୍ଜନ ବେହେରା ଓ ଅବଦୁଲ ସରଫରାଜ ଖାନଙ୍କୁ ନୋଟିସ ଜାରି କରାଯାଇଛି।ସୂଚନା ଅନୁଯାୟୀ, ଗୃହରକ୍ଷୀ ସେବା ସଂଗଠନରୁ ସେମାନଙ୍କ ସେବା ସମାପ୍ତ କରିବା ପାଇଁ ଏକ ମାସର ନୋଟିସ ଦିଆଯାଇଛି।

ଏହି ଘଟଣା ପରେ ପୁଲିସ ବିଭାଗ ପକ୍ଷରୁ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯାଉଥିବା ସନ୍ଦେଶ ଦିଆଯାଇଛି।ଗତକାଲି ମଞ୍ଚେଶ୍ୱର ଥାନାରେ ଜଣେ ବ୍ୟକ୍ତିଙ୍କ ଜବତ ହୋଇଥିବା ମୋବାଇଲ ଫେରାଇ ଦେବା ନାଁରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏହି ସମୟରେ ସହକାରୀ ଉପନିରୀକ୍ଷକ ରାଜେଶ କୁଲୁ ଓ ଦୁଇ ଗୃହରକ୍ଷୀଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୨୦ ହଜାର ଟଙ୍କା ଜବତ କରାଯାଇଥିଲା।

ତଦନ୍ତ ବେଳେ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ଗତ ୧୨ ଜୁନ୍‌ରେ ସହକାରୀ ଉପନିରୀକ୍ଷକ ରାଜେଶ କୁଲୁ ସେହି ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ନେଇ ଗୋଟିଏ ମୋବାଇଲ ଫେରାଇ ଦେଇଥିଲେ। ଏହି ଅଭିଯୋଗର ସତ୍ୟତା ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।ଘଟଣାକୁ ନେଇ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦୁର୍ନୀତିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆଗାମୀ ଦିନରେ ଆହୁରି କଠୋର ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *