ନ୍ୟୁଜ ଡେକ୍ସ : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗରମ ଓ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଦେବଗଡ଼ ଜିଲ୍ଲା ପ୍ରଶାସନ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବଡ଼ ନିଷ୍ପତ୍ତି ନେଇଛି। ଖରା ପରିସ୍ଥିତି ଏବଂ ଅସହ୍ୟ ତାତିକୁ ଧ୍ୟାନରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ୨୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ପ୍ରାଥମିକ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ତେବେ ଏହି ସମୟ ମଧ୍ୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ନିର୍ଦ୍ଧାରିତ ସମୟସାରଣୀ ଅନୁଯାୟୀ ଅନୁଷ୍ଠିତ ହେବ।ଗ୍ରୀଷ୍ମ ପ୍ରବାହର ପ୍ରଭାବ କମାଇବା ପାଇଁ ପ୍ରଶାସନ ସକାଳ ସମୟରେ ପରୀକ୍ଷା ଆୟୋଜନ କରିବାକୁ ପରାମର୍ଶ ଦେଇଛି।
ଏହାସହ ବିଦ୍ୟାଳୟ ପରିସରରେ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ଏବଂ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନର ପ୍ରଧାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଜିଲ୍ଲା ପ୍ରଶାସନ କହିଛି ଯେ, ପାଗ ପରିସ୍ଥିତିକୁ ନିରନ୍ତର ନଜରରେ ରଖାଯାଉଛି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି। ପ୍ରଚଣ୍ଡ ଗରମରୁ ରକ୍ଷା ପାଇଁ ଅଭିଭାବକମାନଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

