Thu. Jun 18th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିଲେ ମଧ୍ୟ ଗରମ ଓ ଗୁଳୁଗୁଳିର ପ୍ରକୋପ କମିନାହିଁ। ଉପକୂଳ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଉଷ୍ମ ଓ ଆର୍ଦ୍ର ପାଗ ଯୋଗୁଁ ଲୋକେ ଅସହ୍ୟ ଗରମ ଅନୁଭବ କରୁଛନ୍ତି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବା ସହ ବଡ଼ ଧରଣର ବର୍ଷାର ସମ୍ଭାବନା କମ୍ ରହିଛି।ରାଜ୍ୟରେ ମୌସୁମୀ ଓ କାଳବୈଶାଖୀର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେଉଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମସ୍ତ ଜିଲ୍ଲାରେ କିଛି ନା କିଛି ବର୍ଷା ହେବାର ସମ୍ଭାବନା ରହିଛି।

ତଥାପି ଉପକୂଳର ୧୪ଟି ଜିଲ୍ଲାରେ ଗୁଳୁଗୁଳି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ, ଜୁନ୍ ଶେଷ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସଙ୍କେତ ମିଳୁଛି। ୨୮ରୁ ୩୦ ତାରିଖ ମଧ୍ୟରେ ବାୟୁମଣ୍ଡଳୀୟ ଚାପରେ ପରିବର୍ତ୍ତନ ଘଟି ଏହା ସୃଷ୍ଟି ହୋଇପାରେ। ଏହା ୨୦୨୬ ମୌସୁମୀ ଋତୁର ପ୍ରଥମ ଲଘୁଚାପ ହେବ ବୋଲି ଆକଳନ କରାଯାଇଛି।ଯଦି ଏହି ଲଘୁଚାପ ଗଠିତ ହୁଏ, ତେବେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବ। ଫଳରେ ଚାଲିଥିବା ଶୁଖିଲା ପାଗ, ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରେ।

ଏହାର ପ୍ରଭାବ କେବଳ ଓଡ଼ିଶା ନୁହେଁ, ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ଭାରତର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଛି।ଅନ୍ୟପଟେ ୧୭ରୁ ୨୧ ଜୁନ୍ ମଧ୍ୟରେ ଉପକୂଳ ଓଡ଼ିଶାରେ ଦିନ ଓ ରାତି ଉଭୟ ସମୟରେ ଗରମ ଅନୁଭୂତ ହେବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳ ତାତି ଜାରି ରହିବ। ଏହି ସମୟରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ନଥିବା ବେଳେ କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୩ ଜୁନ୍ ସୁଦ୍ଧା ସମ୍ଭାବ୍ୟ ଲଘୁଚାପର ଗତିପଥ, ସ୍ଥାନ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *