ନ୍ୟୁଜ ଡେକ୍ସ : ଶୀତଳ ଷଷ୍ଠୀ ଅବସରରେ ଦେବ ଦେବ ମହାଦେବ ଓ ଜଗତଜନନୀ ମା’ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ମହା ଆଡ଼ମ୍ବର ଓ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ବିଳମ୍ବିତ ରାତିରେ ସମସ୍ତ ବୈଦିକ ରୀତିନୀତି ଅନୁସାରେ ହସ୍ତଗଣ୍ଠି ପଡ଼ିବା ସହ ବିବାହ କାର୍ଯ୍ୟ ସମାପନ ହୋଇଥିଲା।ନିର୍ଦ୍ଧାରିତ ଶୁଭ ଲଗ୍ନରେ ରାତି ପ୍ରାୟ ଦୁଇଟାରୁ ତିନିଟା ମଧ୍ୟରେ ବାବା ଯୋଗେଶ୍ୱରଙ୍କ ସହ ମା’ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ସହରର ବିଭିନ୍ନ ଶୀତଳ ଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଭବ୍ୟ ବରଯାତ୍ରାର ଆୟୋଜନ କରାଯାଇଥିଲା।ବାଦ୍ୟ, ରୋଷଣୀ ଓ ଧାର୍ମିକ ଉତ୍ସାହ ମଧ୍ୟରେ ବରଯାତ୍ରୀମାନେ ସହର ପରିକ୍ରମା କରି କନ୍ୟାପିତାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଲୋକାଚାର ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା।ପୌରାଣିକ ବିଶ୍ୱାସ ଅନୁସାରେ ଏହି ଦିବ୍ୟ ବିବାହ ଉତ୍ସବରେ ଦେବତା, ଦାନବ, ମାନବ, ଗାନ୍ଧର୍ବ ଓ କିନ୍ନରମାନଙ୍କର ପ୍ରତୀକାତ୍ମକ ସମାଗମ ଘଟିଥାଏ।
ଏହି ମହାନ ଆଧ୍ୟାତ୍ମିକ ଉତ୍ସବର ସାକ୍ଷୀ ହେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ ଏବଂ ନିଜକୁ ଧନ୍ୟ ମନେ କରିଥିଲେ।ବିବାହ ଉତ୍ସବ ପରେ ବରପିତାଙ୍କ ଘରେ ଯୁଗଳ ମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭକ୍ତି, ପରମ୍ପରା ଓ ସାମାଜିକ ସମନ୍ୱୟର ଏହି ମହାପର୍ବ ବଲାଙ୍ଗିର ସହରକୁ ଉତ୍ସବମୁଖର କରିଦେଇଛି।

