ନ୍ୟୁଜ ଡେକ୍ସ : ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକା ୨୦୨୭ ପ୍ରକାଶ ପାଇଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ନିଜର ସଫଳତାର ଧାରାକୁ ବଜାୟ ରଖିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇ କିଟ୍ ବିଶ୍ୱସ୍ତରରେ ନିଜର ଦୃଢ଼ ଉପସ୍ଥିତି ଜାହିର କରିଛି।
ଏହି ମାନ୍ୟତା ତାଲିକାରେ କିଟ୍ ପୂର୍ବ ଭାରତର ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମଧ୍ୟ ସ୍ଥାନ ବଜାୟ ରଖିଛି। ସେହିପରି ଦେଶର ସର୍ବବୃହତ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି।ମାତ୍ର ଦୁଇ ବର୍ଷ ତଳେ ଏହି ବିଶ୍ୱ ମାନ୍ୟତା ତାଲିକାରେ ସାମିଲ ହୋଇଥିବା କିଟ୍ ଏକ ନବୀନ ବିଶ୍ୱବିଦ୍ୟାଳୟ ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି।
ଶିକ୍ଷା, ଗବେଷଣା, ନବସୃଜନ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ କ୍ଷେତ୍ରରେ ଏହାର ଅଗ୍ରଗତିକୁ ଏହି ସଫଳତା ପୁଣିଥରେ ପ୍ରମାଣିତ କରିଛି।ଏହି ଉପଲବ୍ଧି ନେଇ ସନ୍ତୋଷ ପ୍ରକାଶ କରି କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏଭଳି ଏକ ସମ୍ମାନଜନକ ବିଶ୍ୱ ମାନ୍ୟତାରେ ସ୍ଥାନ ପାଇବା ଅତ୍ୟନ୍ତ ଗର୍ବ ଓ ଉତ୍ସାହର ବିଷୟ। ଏହା କିଟ୍ର ଗୁଣାତ୍ମକ ଶିକ୍ଷାଦାନ ଓ ସାମଗ୍ରିକ ବିକାଶର ସ୍ୱୀକୃତି ବୋଲି ସେ କହିଛନ୍ତି।

