ନ୍ୟୁଜ ଡେକ୍ସ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁସେନା ସମ୍ପର୍କିତ ନୂତନ ଆକଳନରେ ଏକ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି। ଦୀର୍ଘଦିନ ଧରି ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହୁଥିବା ରୁଷକୁ ପଛରେ ପକାଇ ଚୀନ୍ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ଶକ୍ତିଶାଳୀ ବାୟୁସେନା ଭାବେ ନିଜ ସ୍ଥାନ ସୁଦୃଢ଼ କରିଛି। ଘରୋଇ ଭାବେ ଅତ୍ୟାଧୁନିକ ଯୁଦ୍ଧ ବିମାନ ନିର୍ମାଣ, ନୂତନ ଜ୍ଞାନକୌଶଳର ବ୍ୟବହାର ଏବଂ ସାମରିକ ଆଧୁନିକୀକରଣ ଉପରେ ବିପୁଳ ବିନିଯୋଗ ଯୋଗୁଁ ଚୀନ୍ ଏହି ସଫଳତା ହାସଲ କରିଥିବା କୁହାଯାଉଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ, ଚୀନ୍ ବାୟୁସେନା ନିକଟରେ ମୋଟ ୩ ହଜାର ୭୩୩ଟି ବିଭିନ୍ନ ପ୍ରକାରର ବିମାନ ରହିଛି। ସେଥିମଧ୍ୟରୁ ପ୍ରାୟ ଅଢ଼େଇ ହଜାର ଯୁଦ୍ଧ ବିମାନ ଥିବା ଜଣାପଡ଼ିଛି। ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚୀନ୍ ନିଜ ସାମରିକ ଶକ୍ତିର ଦ୍ରୁତ ଆଧୁନିକୀକରଣ ଜାରି ରଖିଛି। ବିଶେଷକରି ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଦେଶଟି ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଛି।ଚୀନ୍ର ଅନେକ ନୂତନ ଯୁଦ୍ଧ ବିମାନରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ଏହି ବିମାନଗୁଡ଼ିକ ଦୂରଗାମୀ ଆକ୍ରମଣ, ଆକାଶ ପ୍ରତିରକ୍ଷା ଓ ବହୁମୁଖୀ ସାମରିକ ଅଭିଯାନରେ ସକ୍ଷମ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଏହାସହ ଦେଶଟି ନିଜର ଯୁଦ୍ଧ ବିମାନ ଉତ୍ପାଦନ କ୍ଷମତାକୁ ମଧ୍ୟ ଲଗାତାର ବୃଦ୍ଧି କରୁଛି।ଇଣ୍ଡୋ-ପ୍ରଶାନ୍ତ ଅଞ୍ଚଳରେ ନିଜ ସାମରିକ ପ୍ରଭାବ ବଢ଼ାଇବା ଲକ୍ଷ୍ୟରେ ଚୀନ୍ ବାୟୁସେନାକୁ ବିଶେଷ ଗୁରୁତ୍ୱ ଦେଉଛି। ତାଇୱାନ, ଦକ୍ଷିଣ ଚୀନ୍ ସାଗର, ଜାପାନ ଓ ପଶ୍ଚିମ ପ୍ରଶାନ୍ତ ଅଞ୍ଚଳକୁ ନେଇ ବଢ଼ୁଥିବା ଭୂ-ରାଜନୈତିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଚୀନ୍ ନିଜ ବାୟୁସେନାକୁ ଅଧିକ ସକ୍ଷମ କରିବାରେ ଲାଗିଛି। ଏହା ମାଧ୍ୟମରେ ସେହି ଅଞ୍ଚଳରେ ନିଜକୁ ସବୁଠାରୁ ପ୍ରଭାବଶାଳୀ ସାମରିକ ଶକ୍ତି ଭାବେ ପ୍ରତିଷ୍ଠିତ କରିବା ତାହାର ଲକ୍ଷ୍ୟ ବୋଲି କୁହାଯାଉଛି।ଅନ୍ୟପକ୍ଷରେ ରୁଷର ବାୟୁସେନା ଶକ୍ତିରେ କିଛିଟା ହ୍ରାସ ଦେଖାଦେଇଛି। ଉପଲବ୍ଧ ଆକଳନ ଅନୁସାରେ ରୁଷ ନିକଟରେ ୧୩୦୦ରୁ ୧୫୦୦ ପର୍ଯ୍ୟନ୍ତ ଯୁଦ୍ଧ ବିମାନ ରହିଛି। ଗତ କିଛି ବର୍ଷ ଧରି ଦେଶଟି ବହୁ ସଂଖ୍ୟାରେ ନୂତନ ଯୁଦ୍ଧ ବିମାନ ନିର୍ମାଣ କରିନଥିବା ବେଳେ ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧରେ ଏହାର ଅନେକ ବିମାନ କ୍ଷତିଗ୍ରସ୍ତ ଓ ଧ୍ୱଂସ ହୋଇଥିବା ସୂଚନା ମିଳିଛି। ଏହି କାରଣରୁ ରୁଷର ସ୍ଥିତି ପୂର୍ବ ଅପେକ୍ଷା ଦୁର୍ବଳ ହୋଇଥିବା ମନେ କରାଯାଉଛି।
ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଅତ୍ୟାଧୁନିକ ଯୁଦ୍ଧ ବିମାନ, ଦୂରପାଳ୍ଲାର ବୋମାବର୍ଷକ ବିମାନ, ପରିବହନ ବିମାନ ଓ ବ୍ୟାପକ ବାୟୁ ସାମରିକ କ୍ଷମତା ଯୋଗୁଁ ଆମେରିକା ଏବେ ମଧ୍ୟ ବିଶ୍ୱର ସର୍ବଶକ୍ତିଶାଳୀ ବାୟୁସେନା ଭାବେ ରହିଛି।ସେହିପରି ଭାରତ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଭାରତୀୟ ବାୟୁସେନା ନିକଟରେ ୧୭୦୦ରୁ ୧୯୦୦ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ବିମାନ ରହିଛି। ଏଥିରେ ଯୁଦ୍ଧ ବିମାନ, ପରିବହନ ବିମାନ, ପ୍ରଶିକ୍ଷଣ ବିମାନ ଏବଂ ହେଲିକପ୍ଟର ସାମିଲ ରହିଛି। ଭାରତ ନିକଟରେ ୫୦୦ରୁ ଅଧିକ ଯୁଦ୍ଧ ବିମାନ ଥିବା ଏକ ଆନ୍ତର୍ଜାତୀୟ ସାମରିକ ଆକଳନ ରିପୋର୍ଟରେ ଉଲ୍ଲେଖ କରାଯାଇଛି।ବିଶ୍ୱରେ ବଦଳୁଥିବା ସାମରିକ ସନ୍ତୁଳନ ମଧ୍ୟରେ ଚୀନ୍ର ଏହି ଉତ୍ଥାନ ବିଶେଷ ଗୁରୁତ୍ୱ ବହନ କରୁଛି। ବାୟୁସେନାର ଆଧୁନିକୀକରଣ, ଘରୋଇ ଉତ୍ପାଦନ ଓ ନୂତନ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ଚୀନ୍ ବିଶ୍ୱ ସାମରିକ ଶକ୍ତିର ମାନଚିତ୍ରରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିବାରେ ସଫଳ ହୋଇଛି।

