ନ୍ୟୁଜ ଡେକ୍ସ : ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଛି। ମାନସିକ ଚାପ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ଲକ୍ଷ ଲକ୍ଷ ଲୋକ ଆଜି ଏକାଠି ହୋଇ ଯୋଗାଭ୍ୟାସ କରୁଛନ୍ତି। ସୁସ୍ଥ ଶରୀର ଓ ଶାନ୍ତ ମନ ପାଇଁ ଯୋଗର ଗୁରୁତ୍ୱକୁ ନେଇ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଉଛି।ଅନ୍ତର୍ଜାତୀୟ ସ୍ତରରେ ଯୋଗ ଦିବସ ପାଳନର ଧାରଣା ୨୦୧୪ ମସିହାରେ ଆରମ୍ଭ ହୋଇଥିଲା।
ସେହିବର୍ଷ ସେପ୍ଟେମ୍ବର ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘ ସାଧାରଣ ସଭାରେ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ରଖିଥିଲେ। ପରେ ୧୧ ଡିସେମ୍ବର ୨୦୧୪ରେ ଜାତିସଂଘର ୧୯୨ଟି ସଦସ୍ୟ ଦେଶ ଏହି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲେ।ଏହାପରେ ୨୧ ଜୁନ୍ ୨୦୧୫ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ନୂଆଦିଲ୍ଲୀର ରାଜପଥରେ ଆୟୋଜିତ ହୋଇଥିବା ପ୍ରଥମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ୮୪ଟି ଦେଶର ପ୍ରାୟ ୩୫ ହଜାରରୁ ଅଧିକ ଲୋକ ଯୋଗ ଦେଇ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରୁ ଗଣଯୋଗ ଶିବିରର ନେତୃତ୍ୱ ନେଇଥିବାବେଳେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦେଶର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କାର୍ଯ୍ୟାଳୟରେ ବିଶେଷ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଦେଶର ବିଭିନ୍ନ ପ୍ରାନ୍ତରେ ହଜାର ହଜାର ଲୋକ ଏକାଠି ହୋଇ ଯୋଗାଭ୍ୟାସ କରିଛନ୍ତି।ସେହିପରି ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ସମେତ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ଜାପାନ ଭଳି ଅନେକ ଦେଶରେ ମଧ୍ୟ ବୃହତ୍ ଯୋଗ ଶିବିର ଆୟୋଜିତ ହୋଇଛି। ଯୋଗ ମାଧ୍ୟମରେ ଶାରୀରିକ ଓ ମାନସିକ ସୁସ୍ଥତାର ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ଏହି ଦିବସ ପାଳନ କରାଯାଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଜୀବନ ଜିଇଁବାର ଏକ ଶୈଳୀ। ଯୋଗ ମଣିଷକୁ ସୁସ୍ଥ, ସନ୍ତୁଳିତ ଓ ସକାରାତ୍ମକ ଜୀବନ ଦିଗରେ ଆଗେଇ ନେଇଥାଏ ବୋଲି ସେ ମତ ପ୍ରକାଶ କରିଛନ୍ତି।

