Sun. Jun 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପାଗ ଅସ୍ଥିର ରହିବା ସହ ପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ଓ ଝଡ଼ ପବନର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି। ଆଜି ପାଇଁ ମଧ୍ୟ ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି।ବିଶେଷକରି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାବେଳେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

କିଛି ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଏବଂ କେତେକ ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରାଯାଇଛି।ପ୍ରବଳ ପବନ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ବିଜୁଳି ଘଡ଼ଘଡ଼ି ସମୟରେ ଖୋଲା ସ୍ଥାନରେ ନ ରହିବା ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ସଚେତନ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ସାତ ଦିନ ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ। ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ମଧ୍ୟ ସମଗ୍ର ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା ଏବଂ ବ୍ୟାପକ ବର୍ଷା ନେଇ ପୂର୍ବାନୁମାନ ହୋଇଥିଲା। ପୁଣିଥରେ କାଳବୈଶାଖୀର ସମ୍ଭାବନା ବଢ଼ିଥିବାରୁ ଲୋକମାନଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *