ନ୍ୟୁଜ ଡେକ୍ସ : ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦେଶ ଓ ଜନସାଧାରଣଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅବଦାନ ଓ ନିଷ୍ଠା ପାଇଁ ସେ ଧନ୍ୟବାଦ ଜଣାଇଥିଲେ।ରାଷ୍ଟ୍ରପତି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଗ୍ରାମ ପାହାଡ଼ପୁର ଗସ୍ତ କରିଥିବାରୁ ସେ ବିଶେଷ ଭାବେ କୃତଜ୍ଞ। ସେହି ଅବସରରେ ମୟୂରଭଞ୍ଜ ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବାବେଳେ ଏହା ଅଞ୍ଚଳର ବିକାଶକୁ ନୂଆ ଦିଗ ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା ଓ ସୁବିଧା ପ୍ରଦାନ କରିଥିବା ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ, ଏହାଦ୍ୱାରା ଜନଜାତି ଅଞ୍ଚଳର ଲୋକମାନେ ବହୁ ମାତ୍ରାରେ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ନରେନ୍ଦ୍ର ମୋଦୀ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ସେ କହିଥିଲେ। ସର୍ବାଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ରହିଥିବାରୁ ରାଷ୍ଟ୍ରପତି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ବିଶ୍ୱସ୍ତରରେ ଭାରତର ସମ୍ମାନ ବଢ଼ିଥିବା ସେ କହିଥିଲେ। କୋଭିଡ୍ ମହାମାରୀ ସମୟରେ ବିଭିନ୍ନ ଦେଶକୁ ଟିକା ପ୍ରଦାନ କରି ଭାରତ କୋଟି କୋଟି ଲୋକଙ୍କ ଜୀବନ ରକ୍ଷାରେ ସହଯୋଗ କରିଥିବା ମଧ୍ୟ ସେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟକୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କ ନେତୃତ୍ୱରେ ରାଜ୍ୟକୁ ବ୍ୟାପକ ପୁଞ୍ଜିନିବେଶ ଆସିଥିବା ଏବଂ ବିକାଶ କାର୍ଯ୍ୟ ଗତିଶୀଳ ହୋଇଥିବା ସେ କହିଥିଲେ। ସମାଜର ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ଉଦ୍ୟମ କରୁଥିବା ମଧ୍ୟ ସେ ଉଲ୍ଲେଖ କରିଥିଲେ।ଜନଜାତି ସମାଜର ସରଳ ଜୀବନଶୈଳୀ, ପ୍ରକୃତି ପ୍ରତି ସମ୍ମାନ ଏବଂ ସାମୂହିକ ଜୀବନ ମୂଲ୍ୟବୋଧକୁ ଅନୁସରଣ କରିବା ପାଇଁ ସମାଜର ଅନ୍ୟ ବର୍ଗର ଲୋକଙ୍କୁ ମଧ୍ୟ ରାଷ୍ଟ୍ରପତି ଆହ୍ୱାନ ଜଣାଇଥିଲେ। ତାଙ୍କ ଏହି ଉଦ୍ବୋଧନ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି କରିଥିଲା।

