Sun. Jun 21st, 2026

ନ୍ୟୁଜ ଡେକ୍ସ : ଆଜି ସମଗ୍ର ଦେଶରେ ଡାକ୍ତରୀ ସ୍ନାତକ ପ୍ରବେଶିକା ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ଦେଶର ୫୫୧ଟି ସହର ଏବଂ ବିଦେଶର ୧୪ଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହେଉଥିବାବେଳେ ପ୍ରାୟ ୨୨ ଲକ୍ଷ ୮୦ ହଜାର ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଓଡ଼ିଶାରେ ମୋଟ ୧୩୨ଟି ପରୀକ୍ଷା କେନ୍ଦ୍ରରେ ୫୬ ହଜାର ୯୮୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିମଧ୍ୟରୁ ଭୁବନେଶ୍ୱରରେ ସର୍ବାଧିକ ୨୬ଟି କେନ୍ଦ୍ରରେ ୧୨ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ରହିଛନ୍ତି।

ରାଜ୍ୟର ବିଭିନ୍ନ ସହରରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।ପରୀକ୍ଷା କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଥିବାବେଳେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପାଇଁ ବାୟୋମେଟ୍ରିକ୍ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦେଶବ୍ୟାପୀ ପ୍ରାୟ ୨ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀମାନଙ୍କୁ ସକାଳ ୧୧ଟାରୁ ଦିନ ୧ଟା ୩୦ ମିନିଟ୍ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିନ ୧ଟା ୩୦ ମିନିଟ୍ ପରେ କେନ୍ଦ୍ରର ପ୍ରବେଶ ଦ୍ୱାର ବନ୍ଦ ହୋଇଯିବ ଏବଂ ଏହାପରେ କୌଣସି ପରୀକ୍ଷାର୍ଥୀଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ସେଥିପାଇଁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।ପୋଷାକ ସମ୍ପର୍କରେ ମଧ୍ୟ କଡ଼ା ନିୟମ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ହାଲୁକା ଓ ସାଧାରଣ ପୋଷାକ ପିନ୍ଧିବେ। ପୋଷାକରେ ବଡ଼ ବୋତାମ, ଧାତୁଜାତୀୟ ସାମଗ୍ରୀ କିମ୍ବା ଭାରୀ କାରୁକାର୍ଯ୍ୟ ରହିବ ନାହିଁ।

ଜ୍ୟାକେଟ୍, ହୁଡି ଓ ବନ୍ଦ ଜୋତା ପିନ୍ଧିବାକୁ ମନା କରାଯାଇଛି।ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ପରୀକ୍ଷାର୍ଥୀଙ୍କୁ ନୂତନ ପ୍ରବେଶ ପତ୍ର, ବୈଧ ଫଟୋ ପରିଚୟପତ୍ର ଏବଂ ଉପସ୍ଥାନ ପତ୍ର ପାଇଁ ପାସପୋର୍ଟ ଆକାରର ଫଟୋ ସାଙ୍ଗରେ ନେବାକୁ ପଡ଼ିବ। ଏହି ଦସ୍ତାବେଜ ବିନା ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ମିଳିବ ନାହିଁ।ସେହିପରି କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ ଉପକରଣ, ଗଣନା ଯନ୍ତ୍ର, ଟଙ୍କା ରଖିବା ଥଳି, ଅଳଙ୍କାର କିମ୍ବା ଖାଦ୍ୟ ସାମଗ୍ରୀ ପରୀକ୍ଷା କକ୍ଷକୁ ନେବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କେବଳ ଏକ ସ୍ୱଚ୍ଛ ପାଣି ବୋତଲ ନେବାକୁ ଅନୁମତି ଦିଆଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନିରନ୍ତର ନଜରଦାରୀରେ ରଖିବା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି।

ପୁନଃ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ପରିବହନ ବ୍ୟବସ୍ଥା ମଧ୍ୟ କରିଛନ୍ତି। ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ସେବା ଯୋଗାଇ ଦିଆଯାଇଛି। ଏହା ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀମାନେ ସୁବିଧାରେ କେନ୍ଦ୍ରରେ ପହଞ୍ଚିପାରିବେ।ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ସହ ଉତ୍କଣ୍ଠା ମଧ୍ୟ ଦେଖାଦେଇଛି। ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ପ୍ରବେଶ ପାଇବାର ଲକ୍ଷ୍ୟ ନେଇ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଆଜିର ଏହି ପରୀକ୍ଷାରେ ନିଜ ଭାଗ୍ୟ ପରୀକ୍ଷା କରିବେ।

Leave a Reply

Your email address will not be published. Required fields are marked *