ନ୍ୟୁଜ ଡେକ୍ସ : ଆଜି ସକାଳୁ ସକାଳୁ ଟ୍ବିନସିଟି ଭୁବନେଶ୍ୱର ଓ କଟକରେ ଲଗାଣ ବର୍ଷା ଜାରି ରହିଛି। ଆକାଶ ଘନ ମେଘାଚ୍ଛନ୍ନ ରହିଥିବାବେଳେ ବର୍ଷା ଯୋଗୁଁ ପାଗ ସୁହାଉନା ହୋଇପଡ଼ିଛି। ଏହା ସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବାକୁ ଯାଉଥିବାରୁ ଆଗାମୀ ଦିନଗୁଡ଼ିକରେ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ୨୩ ତାରିଖରୁ ମୌସୁମୀ ଅଧିକ ସକ୍ରିୟ ହେବ ଏବଂ ଏହାର ଅଗ୍ରଗତି ପାଇଁ ପାଗ ଅନୁକୂଳ ରହିଛି।
ଓଡ଼ିଶାରେ ମୌସୁମୀ ପ୍ରବେଶ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳକୁ ଏହା ଛୁଇଁପାରି ନାହିଁ। ତେବେ ଆସନ୍ତାକାଲି ରାଜ୍ୟର ଆଉ କିଛି ଅଞ୍ଚଳକୁ ମୌସୁମୀ ବାୟୁ ବିସ୍ତାର ହେବାର ସମ୍ଭାବନା ରହିଛି।କେବଳ ଓଡ଼ିଶା ନୁହେଁ, ମହାରାଷ୍ଟ୍ର, ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର ଏବଂ ଛତିଶଗଡ଼ର ଆହୁରି କିଛି ଅଞ୍ଚଳକୁ ମଧ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା ଫଳରେ ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ବଢ଼ିବା ସହ ଚାଷ କାର୍ଯ୍ୟ ପାଇଁ ମଧ୍ୟ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ।
କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ଆଜି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ତିନିଟି ଜିଲ୍ଲା ପାଇଁ କମଳା ସତର୍କତା ଏବଂ ବାଇଶିଟି ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ସଜାଗ ରହିବା ସହ ଲୋକମାନଙ୍କୁ ଅନାବଶ୍ୟକ ଭାବେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।ଲଗାଣ ବର୍ଷା ଓ ମୌସୁମୀର ସକ୍ରିୟତା ଯୋଗୁଁ ଆଗାମୀ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାମୁଖର ପରିବେଶ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି।

